ବୁଥ ପିଛା ଭୋଟ୍‌ ଦେବେ ସର୍ବାଧିକ ୧୦୦୦ ଭୋଟର: ଲୋହାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ହେବ। ମାର୍ଚ୍ଚ ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତି। ତେବେ ଉପନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା।

ସେ କହିଛନ୍ତି-“କୋଭିଡ୍‌ କଟକଣାରେ ଭୋଟ ଗ୍ରହଣ କରାଯିବ। ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ। ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍‌ କରାଯିବା ବ୍ୟବସ୍ଥା କରାଯିବ। ମାସ୍କ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ। ପ୍ରତି ବୁଥ୍‌ରେ ଜଣେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜନ କରାଯିବ।

୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପାଇଁ ଅନୁମତି ମିଳିବ। ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯିବ। ନିର୍ବାଚନରେ ସଂପୃକ୍ତ ସମସ୍ତଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ। ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯାଇ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବ।”

ଗତବର୍ଷ ଅକ୍ଟୋବର ମାସରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତେଣୁ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଚୟନକୁ ନେଇ ତତ୍ପର ହୋଇ ପଡ଼ିଛନ୍ତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଲାଗି ପଡ଼ିଥିବା ବେଳେ ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

ସେପଟେ ନିର୍ବାଚନ ଲଢ଼ିବାକୁ ରୁଦ୍ର ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଆଜି ରୁଦ୍ରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ତାଙ୍କ ଦାଦା ପ୍ରଣୟ ମହାରଥୀ। ଗଣମାଧ୍ୟମକୁ ସେ କହିଛନ୍ତି, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି। ତେଣୁ ଜଣେ ଯୁବକଙ୍କୁ ପ୍ରାର୍ଥୀ କଲେ ଭଲ। ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲେ ବହୁତ ଭଲ ହେବ ବୋଲି ପ୍ରଣୟ କହିଛନ୍ତି। ତେବେ ସେ ଯାହା ହେଉନା କାହିଁ ପ୍ରାର୍ଥୀ ନେଇ ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।