ଉପରମୁହାଁ ମହାମାରୀ; ଚଳିତ ବର୍ଷ ହେବନି ମା’ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ବିଭିନ୍ନ ସ୍ଥାନରେ ମହାମାରୀ ଏବେ ଉପରମୁହାଁ ଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବାକୁ ବିଭିନ୍ନ କଟକଣା ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ହେଉଥିବା ଗହଳିକୁ ବାରଣ କରାଯାଉଛି। ତେଣୁ ଚଳିତ ବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ହେବନି ବୋଲି ନିଷ୍ପତ୍ତି ନିଆଯାଇଛି।

ଗତ ରାତିରେ ମା’ଙ୍କ ଶୁଭ ଖୁଣ୍ଟି ଆସିବା ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା । କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ଆଲୋଚନା ପରେ ହଠାତ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ଦେଶୀ ବେହେରା । ପ୍ରଶାସନ ପକ୍ଷରୁ ମିଳିଥିବା ଅବଧିରେ ଯାତ୍ରା ହୋଇପାରିବନି ବୋଲି ସେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି, ମା’ଙ୍କ ଯାତ୍ରା ୨୫ ଦିନ ହୁଏ। ଏହାକୁ କମ୍‌ କରିବାକୁ କୁହାଯାଇଥିଲା। ପ୍ରତି ସାହିକୁ ମା’ ଯିବାର ପରମ୍ପରା ଅଛି। ଫଳରେ ଗହଳିକୁ ନିୟନ୍ତ୍ରଣ କରିବା କଷ୍ଟକର। ତେଣୁ କରୋନା କଟକଣା ମାନି ନ ପାରିଲେ ଏହାକୁ ସ୍ଥଗିତ ରଖିବାକୁ ଯାତ୍ରା କମିଟି ହିଁ ସୁପାରିସ କରିଛି।

ସୂଚନାଯୋଗ୍ୟ, ଚଳିତମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ ଉପରେ ସରକାର କଟକଣା ଜାରି କରିଛନ୍ତି। ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ଚାହିଁଲେ ମନ୍ଦିର ଓ ଧାର୍ମିକ ସ୍ଥାନରେ ‘ଦୋଳ ମେଳଣ’ ପାଇଁ ନିୟମ କୋହଳ କରିପାରିବେ ଓ କୋଭିଡ୍ ଗାଇଡଲାଇନ ପାଳନ କରି କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଏଥିନିମନ୍ତେ ଅନୁମତି ଦେଇପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।