କର୍ମଚାରୀ ଅଭାବ, ଶିମିଳିପାଳର ସୁରକ୍ଷା ହେବ କେମିତି ?

ବାରିପଦା(ମାଣିକଲାଲ ପାଣି): ଆଜି ବି ଜଳୁଛି ଶିମିଳିପାଳ । ଆଜି ଶିମିଳିପାଳର ଉତ୍ତର ଓ ଦକ୍ଷିଣ ସହ ପାଖ ବନଖଣ୍ଡର ୧୯ ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ହୋଇଥିବା ବେଳେ ଗତକାଲି ଏହା ୪୯ ଟି ସ୍ଥାନରେ ନିଆଁ ଲାଗିଥିବାର ରିପୋର୍ଟ ହୋଇଛି । ଶିମିଳିପାଳ ଅଭୟାରଣ୍ୟରେ କେହି ନା କେହି ଜାଣି ଶୁଣି ନିଆଁ ଲଗାଉ ଥିବା ବେଳେ ବନ କର୍ମଚାରୀ ମାନେ ମଧ୍ୟ ନିଆଁ କୁ ଆୟତ୍ତ କରିବାକୁ ପ୍ରାଣପ୍ରଣେ ପରିଶ୍ରମ କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଜଣେ ବନକର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଠାକୁରମୁଣ୍ଡାରେ ବନ ବିଭାଗ ନରସରି ରେ ମଧ୍ୟ ନିଆଁ ଲାଗି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ତେବେ ଉଭୟ କର୍ମଚାରୀଙ୍କୁ ଶିମିଳିପାଳ କର୍ତ୍ତୃପକ୍ଷ ଏକ ଲକ୍ଷ  ଲେଖାଏଁ  ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେଇଛନ୍ତି । ଏପଟେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆରସିସିଏଫ୍ ଙ୍କୁ  ସେମାନଙ୍କ ପାଇଁ ରବର ଜୋତା , ଫାୟାର ବ୍ଲୟାର ମେସିନ ,ପାଣି ବୋତଲ, ଗ୍ଲୋବସ୍ ,ଚଷମା ହେଲମେଟ ପରି ଅନେକ ସାମଗ୍ରୀ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପିସି ସିଏଫ୍। ଏହି ସବୁ ସାମଗ୍ରୀକୁ କାମ୍ପା ଫଣ୍ଡରେ କିଣିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ପିସିସିଏଫ୍ । ଏପଟେ ଶିମିଳିପାଳରେ ଏହି ସବୁ ସାମଗ୍ରୀ ପୂର୍ବରୁ କର୍ମଚାରୀଙ୍କୁ ଯୋଗାଇ ଦିଆ ଯାଉଥିବା ବେଳେ ଆବଶ୍ୟକ  ଥିବା ସାମଗ୍ରୀ କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାରିପଦା ଆରସି ସିଏଫ୍ ।

ସେପଟେ ଶିମିଳିପାଳ ଜଙ୍ଗଲର ସୁରକ୍ଷା କିଭଳି ଅଳ୍ପ ସଂଖ୍ୟକ କର୍ମଚାରୀ ରେ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସଂଘ । ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଏବଂ ଦକ୍ଷିଣ ସହ ବାରିପଦା , କରଂଜିଆ, ରାଇରଙ୍ଗପୁର ମୋଟ୍ ୫ଟି ବନଖଣ୍ଡ ରହିଛି । ଏହି ୫ ବନ ଖଣ୍ଡ ମୋଟ ୨୧ ରେଞ୍ଜ ଏବଂ ୨୦୯ ଟି ବିଟ୍ ହାଉସ୍ ରହିଛି । ଜଙ୍ଗଲର ସବୁଠାରୁ ସୁରକ୍ଷା କ୍ଷେତ୍ରରେ ଆଗୁଆ ହେଲେ ଫରେଷ୍ଟର । ହେଲେ ଏଠାରେ ୧୦୫ ଜଣ ଫରେଷ୍ଟର ଆବଶ୍ୟକ ଥିବା ବେଳେ  ଅଛନ୍ତି ୫୫ । ଆଉ ଖାଲି ପଡ଼ିଛି ୫୦ ପଦବୀ।  ସେହିପରି ଫରେଷ୍ଟ ଗାର୍ଡ ପଦବୀ ଅଛି ୨୨୬। ହେଲେ  ଅଛନ୍ତି ୮୩ । ଖାଲି ପଡ଼ିଛି ୧୪୩ । ଫରେଷ୍ଟ ଗାର୍ଡ sfpf ପଦବୀ ଅଛି ୮୧ । ଅଛନ୍ତି ୫୪ । ଖାଲିପଡ଼ିଛି ୨୭।  ଫରେଷ୍ଟ ଓଆଚର ପଦବୀ ୨୭ ପଦବୀ ଖାଲି ପଡ଼ିଛି।  ଏପରି ସ୍ଥଳେ ଶିମିଳିପାଳକୁ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।