ମହିଳା ଯନ୍ତ୍ରୀଙ୍କୁ ଚେୟାରରେ ପିଟିଲେ ବିଜେଡି ନେତା!

ବାରିପଦା (ମାନିକ୍ ଲାଲ ପାଣି): ମହିଳା ଯନ୍ତ୍ରୀଙ୍କୁ ଅଫିସ ଭିତରେ ମାଡ଼। ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଥିବା ସରକାର କହୁଥିବା ବେଳେ ଶାସକ ଦଳର ଜଣେ ନେତା ଜଣେ ମହିଳା ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ କାର୍ଯ୍ୟାଳୟରେ।

ଏହି ମହିଳା ଯନ୍ତ୍ରୀଙ୍କ ନାଁ ସାଗରିକା ମୁର୍ମୁ। ଏହି ଘଟଣା ପରେ ସେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ତା’ସହିତ ଲଜ୍ଜିତ ହୋଇଛନ୍ତି। ଏଣୁ ନ୍ୟାୟ ପାଇଁ ସେ ଆଜି ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି‌ଙ୍କୁ ଭେଟିଛନ୍ତି।

୧୫ ତାରିଖ ଦିନ ସାଗରିକା ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ ବିଜେଡିର ଜଣେ ସ୍ଥାନୀୟ ନେତା ରମେଶ ଖଟୁଆ ତାଙ୍କର କିଛି ସମର୍ଥକ ସହ ପହଞ୍ଚି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ମଧ୍ୟରେ ନେତା ଜଣଙ୍କ ଚେୟାର ଉଠାଇ ସାଗରିକାଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ। ଏନେଇ ମହିଳା ଯନ୍ତ୍ରୀ ଜଣକ ବିଡିଓଙ୍କୁ ଜଣାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନାରେ ରମେଶ ଖଟୁଆଙ୍କ ବିରୋଧରେ ଏତଲା ଦିଆଯାଇଥିଲା।

ରମେଶ ପୂର୍ବରୁ କପ୍ତିପଦା ଅଂଚଳର ବିଜେଡି ସଭାପତି ରହିଥିବା ବେଳେ ସେ ପୂର୍ବରୁ ମଧ୍ୟ ଯନ୍ତ୍ରୀଙ୍କୁ ଫୋନ୍ କରି ଧମକ ଦେଇଥିବା ଅଭିଯୋଗ ହୋଇଛି। ରମେଶଙ୍କ ନାମରେ କପ୍ତିପଦା ଥାନାରେ ୫୦୬, ୫୦୯, ୩୩୨, ୩୫୩, ୩୨୩, ୧୮୯ ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। କିନ୍ତୁ ରମେଶ କୋଭିଡରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିବାରୁ ପୁଲିସ ଗିରଫ କରିପାରି ନଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ରମେଶ ଖଟୁଆଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।