ବାମନଘାଟିରୁ ବଲିଉଡ ଟିକେଟ : ମୟୂରଭଞ୍ଜ ପୁଅର ଏମିତି ଥିଲା ଯାତ୍ରା

ରାଇରଙ୍ଗପୁର( ରାଜେଶ ଶର୍ମା): ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ‘ମର୍ଦ କୋ ର୍ଦ ନେହିଁ ହୋତା, ଦବଙ୍ଗ-ଥ୍ରୀ ଭଲି ଫିଲ୍ମରେ ଅଭିନୟ କରିଛନ୍ତି ରାମ । ଏହାସହ ଆଗକୁ ରିଲିଜ ହେବା ଅପେକ୍ଷାରେ ରହିଛି ‘ରାଧେ’। ଯେଉଁଥିରେ ଖଳନାୟକ ଭୂମିକାରେ ଆସୁଛନ୍ତି ସେ।

ତେବେ ମାଲାୟଲମ ଫିଲ୍ମର ଦି କୁମ୍ଫୁ ମାଷ୍ଟରର ଆକ୍ସନ ସିନ୍ ହେଉ କି ହିନ୍ଦୀ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ରେ ଜବରଦସ୍ତ ଅଭିନୟ  କାହାଣୀରେ ନିଛକ ଭାବେ ନିଜ ଚରିତ୍ରକୁ ଫୁଟାଇବାରେ ସଫଳ ହୋଇଛନ୍ତି ରାମ ସିର୍କା। ମୟୂରଭଞ୍ଜ ବିଜାତଳା ବ୍ଲକ ସୁରତ ନଗରର ରାମ ସିର୍କା ଏବେ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା । ଆଉ ଫିଟ୍‌ନେସ୍ ଟ୍ରେନର ମଧ୍ୟ।

ଜାମସେଦପୁରରେ ସ୍କୁଲ ଶିକ୍ଷା ଗ୍ରହଣ ପରେ ଝାଡ଼ଖଣ୍ଡର ଛତ୍ରାରେ ଟାଇକୋଣ୍ଡୋ ଶିଖିବା ପରେ ଭାଗ୍ୟ ପରୀକ୍ଷା ପାଇଁ ମୁମ୍ବାଇ ଯାଇଥିଲେ ରାମ ବହୁ ସଂଘର୍ଷ ପରେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ରରେ ଅଭିନୟ ତାଲିମ ନେଇଥିଲେ । ଏତିକି ବେଳେ କୋରିଓଗ୍ରାଫର ଗଣେଶ ହିବାରକର ଓ ଫିଲ୍ମ ନିର୍ମାତା ନବ ରାଜୁଙ୍କ ଦ୍ୱାରା ଛୋଟ ଫିଲ୍ମରେ ରାମ ସୁଯୋଗ ପାଇଥିଲେ। ପରେ ସେ ଦେଖାଇଥିଲେ ନିଜ ଅଭିନୟ କଳାର ଯାଦୁ ।  ଦବଙ୍ଗ-ଥ୍ରୀରେ ସଲମାନଙ୍କ ସହ ପରଦାରେ ଦେଖା ଦେଇଥିଲେ ରାମ ।  ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ରେ ମଧ୍ୟ ସେ ଖଳନାୟକ ଭୂମିକାରେ ଆସୁଛନ୍ତି। ଫିଟନେସ୍ ଟ୍ରେନର ଭାବେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି ରାମ । ସେଲିବ୍ରିଟିଙ୍କୁ ସେ ଫିଟନେସ୍ ଟ୍ରେନିଂ ଦିଅନ୍ତି । ନିଜେ ମଧ୍ୟ ସେ ବହୁତ ଫିଟ୍  । ଏଥିପାଇଁ ମୁମ୍ବାଇ ମେରାଇନ୍ ଡ୍ରାଇଭରେ ସେ ନିୟମିତ ଅଭ୍ୟାସ କରନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।