ମୟୂରଭଞ୍ଜ: ପ୍ରୋଗ୍ରାମ ଆସିଷ୍ଟାଣ୍ଡଙ୍କୁ ବଡ଼ସାହି ବିଧାୟକଙ୍କ ହତ୍ୟା ଧମକ ଅଭିଯୋଗ

ବାରିପଦା: ବଡ଼ସାହି ବ୍ଲକରେ କାର୍ଯ୍ୟରତ ପ୍ରୋଗ୍ରାମ ଆସିଷ୍ଟାଣ୍ଡ (ପିଏ) ସୁକୁମାର ପଲେଇଙ୍କୁ ସ୍ଥାନୀୟ ବିଧାୟକ ଗଣେଶ୍ୱର ପାତ୍ର ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପିଏ ସୁକୁମାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ବିଧାୟକ ତାଙ୍କୁ ନିଜ ଘରକୁ ଡାକି ସମର୍ଥକଙ୍କ ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏହାସହ ଏକ ସାଦା କାଗଜରେ ତାଙ୍କ ଦସ୍ତଖତ କରାଇ ନେଇଥିଲେ। ଏଠାରୁ ତୁରନ୍ତ ବଦଳି ହୋଇ ନ ଗଲେ ମିଥ୍ୟା ମାମଲାରେ ଫସାଇ ଦେବାକୁ ମଧ୍ୟ ବିଧାୟକ ଧମକ ଦେଇଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ଘଟଣା ପରେ ମାନସିକ ଦୁଶ୍ଚିନ୍ତାରେ ଥିବା ସୁକୁମାର ୧୨ ତାରିଖରେ ଜିଲ୍ଲାପାଳଙ୍କୁ ବଦଳି ଦରଖାସ୍ତ ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏପରି କି ଏହି ପ୍ରସଙ୍ଗ ବୁଧବାର ବଡ଼ସାହି ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଉଠିଥିଲା। କିଛି ନିର୍ବାଚିତ ପ୍ରତିନିଧି ମଧ୍ୟ ଏ ନେଇ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ସମ୍ପୃକ୍ତ ପିଏ ଠିକ୍ ଭାବେ କାର୍ଯ୍ୟ କରି ନ ଥିବାରୁ ତାଙ୍କୁ ସାମାନ୍ୟ ତାଗିଦ୍ କରିଥିଲି ବୋଲି ବିଧାୟକ ଗଣେଶ୍ୱର ପାତ୍ର କହିଥିଲେ।

ବିଧାୟକ ଆହୁରି କହିଛନ୍ତି, ଅଞ୍ଚଳରେ ବିକାଶ ଲାଗି ଅନ୍ୟ ସମୟରେ ମଧ୍ୟ ନିଜ ଘରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରେ। ଅଭିଯୋଗ ଆସିବା ପରେ ତାଙ୍କୁ ଡକାଇ ଆଲୋଚନା କରିଥିଲି। ଏଥିରେ ଅସୁବିଧା କିଛି ନାହିଁ ବୋଲି ସେ କହିଛନ୍ତି। ଅଞ୍ଚଳରେ କୋଠା ଘର ଥିବା ବହୁ ଲୋକଙ୍କୁ ଏହି ଯୋଜନାରେ ଘର ଦିଆଯାଇଛି। ହେଲେ ଜଣେ ଯୋଗ୍ୟ ହିତାଧିକାରୀ କଟି ଯିବା ପରେ ଏ ବିଷୟରେ ପଚାରି କ’ଣ ଭୁଲ କଲି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୁକୁମାର କହିଛନ୍ତି, ଯୋଗ୍ୟତା ନ ଥିବା ଜଣେ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଜନାରୁ କାଟି ଦେଇଥିଲି। ଏହାକୁ ନେଇ ଗତ ଡିସେମ୍ୱର ୨୮ ତାରିଖରେ ବିଧାୟକ ତାଙ୍କୁ ଡାକି ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ।

ବଡ଼ସାହି ପଞ୍ଚାୟତ ସମିତିସଭ୍ୟ ପ୍ରକାଶ କର ମହାପାତ୍ର କହିଛନ୍ତି, ଶାସକ ଦଳର ମନ୍ତ୍ରୀ, ବିଧାୟକମାନେ ସରକାରୀ କର୍ମଚାରୀଙ୍କ ଉପରେ ଯେପରି ଅତ୍ୟାଚାର ଚଳାଇଛନ୍ତି ଏହା ହେଉଛି ତାର ଏକ ନଗ୍ନଚିତ୍ର। କାର୍ଯ୍ୟରତ ଜଣେ କର୍ମଚାରୀକୁ ଡାକି ସମର୍ଥକଙ୍କ ସହ ମିଶି ମାଡ଼ ମାରିବା, ବଳାତ୍କାର ମାମଲାରେ ଫସାଇ ଦେବାକୁ ଧମକ ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ। ସୁକୁମାର ଜିଲ୍ଲାପାଳ ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅତ୍ୟନ୍ତ ଭୟଭୀତ ହୋଇଯାଇଥିବାରୁ ଥାନାରେ ଏଫଆଇଆର ବି ଦେଇନାହାନ୍ତି। ଏଠାରେ ତାଙ୍କ ଜୀବନ ପ୍ରତି ବିପଦ ରହୁଛି। ତାଙ୍କୁ ଏଠାରୁ ଜିଲ୍ଲା ମୁଖ୍ୟାଳୟକୁ ନିଆଗଲେ ଭଲ ହେବ। ବିଧାୟକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ବୋଲି ସେ ଦାବି କରିଛନ୍ତି।