୩ଦିନ ହେଲା ଜଳୁଛି ଏମସିଏଲ୍ ଲିଙ୍ଗରାଜ କୋଇଲା ଖଣି

ତାଳଚେର: ତାଳଚେର ସ୍ଥିତ ଏମସିଏଲ୍ ଲିଙ୍ଗରାଜ କୋଇଲା ଖଣିର ଷ୍ଟକ ୟାର୍ଡରେ ନିଆଁ ଲାଗି ହଜାର ହଜାର ଟନ୍ କୋଇଲା ପୋଡି ପାଉଁଶ ହେଉଛି। ୩ଦିନ ହେବ ଏହି ନିଆଁ ଲାଗି ଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଖଣିରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ଓ ଆଖପାଖ ଗାଁର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି।

ଖଣିର ଜଣେ କର୍ମଚାରୀ ବଜରଙ୍ଗ ଅଗ୍ରୱାଲ କହିଛନ୍ତି, ହଜାର ହଜାର ଟନ କୋଇଲା ପୋଡି ଯାଉଁଶ ହେଉଥିଲେ ବି ଏମସିଏଲ କର୍ତ୍ତୃପକ୍ଷ ଏହାକୁ ଲିଭାଇବାକୁ କୌଣସି ପଦକ୍ଷେପ ନେଉନାହାନ୍ତି। କେବଳ କାଗଜକଲରେ ନିଆଁ ଲିଭାଯାଉଥିବା କୁହାଯାଉଛି। ହେଲେ ବାସ୍ତବରେ ଏହାକୁ କେହି ଲିଭାଉ ନାହାନ୍ତି।

ଗତ ୧୨ ତାରିଖରୁ ଏମସିଏଲର ବିଭିନ୍ନ ଖଣିରେ ଖଣି ସୁରକ୍ଷା ପକ୍ଷ ପାଳନ କରାଯାଉଛି। ଏଭଳି ସମୟରେ କୋଇଲା ଖଣିରେ ଲାଗିଥିବା ନିଆଁ ଲିଭାଇବା ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବା ଖଣି ସୁରକ୍ଷା ପଦକ୍ଷେପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲିଙ୍ଗରାଜ ଖଣି ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ଝା କହିଛନ୍ତି, କୋଇଲା ଖଣିରେ ନିଆଁ ଲାଗିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଆମ ଫାୟାର ଟିମ ନିଆଁ ଲିଭାଉଛନ୍ତି।