୩ ବିଜେଡି ନେତାଙ୍କଠୁ କାଢ଼ିନେଲେ ମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଦଳର ୩ଜଣ ନେତାଙ୍କ ସମେତ ମୋଟ ୫ଜଣଙ୍କଠୁ ରାଜ୍ୟ ସରକାର ମନ୍ତ୍ରୀ ପାହ୍ୟା କାଢ଼ି ନେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏହା ସ୍ପଷ୍ଟ କରିଛନ୍ତି। ତେବେ ଏହି ନେତାମାନଙ୍କଠୁ କେବେ ‘ମନ୍ତ୍ରୀ ପାହ୍ୟା’ ସୁବିଧା ପ୍ରତ୍ୟାହାର କରାଯାଇଛି ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଆରୁଖ କିଛି ସୂଚନା  ଦେଇନାହାନ୍ତି।

ବିଜେଡି ନେତା ଆକାଶଦାସ ନାୟକ, ବିଜୟ ନାୟକ, ମାନସ ମଙ୍ଗରାଜଙ୍କ ସମେତ ସୁସ୍ମିତା ବାଗଚୀ ଓ ବିଜୟ ସାହୁଙ୍କୁ ୨୦୧୯ ଅଗଷ୍ଟ ମାସରେ ଦିଆଯାଇଥିବା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ପ୍ରତ୍ୟାହାର କରିନିଆଯାଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି । ସେହିପରି ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ଆରୁଖ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ମନ୍ତ୍ରିପରିଷଦ ବାହାରେ ମୋଟ ୨୭ଜଣଙ୍କୁ ମନ୍ତ୍ରୀ ପାହ୍ୟା ସୁବିଧା ମିଳିଛି। ଏଥିରେ ୭ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଓ ୨୦ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ମିଳିଛି। ଏହି ୨୦ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ୧୨ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମିଳିଥିବା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ସାମିଲ ରହିଛି। ଯେଉଁ ୭ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ମିଳିଛି ସେମାନେ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡୀ ରହିଛନ୍ତି।

ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ପାଉଥିବା ବିଜେଡି ନେତାମାନେ ହେଲେ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ମିଶନଶକ୍ତି ପରାମର୍ଶଦାତା ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାସ, ଇଆଣ୍ଡଆଇଟି ବିଭାଗ ପରାମର୍ଶଦାତା ଅନୁଭବ ପଟ୍ଟନାୟକ, କୃଷି ବିଭାଗ ପରାମର୍ଶଦାତା କୃତ୍ତିବାସ ପାତ୍ର, ଓଡ଼ିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା ରାମଚନ୍ଦ୍ର ପଣ୍ଡାଙ୍କ ସମେତ ସ୍ୱାସ୍ଥ୍ୟ ପରାମର୍ଶଦାତା ପିକେ ପ୍ରଧାନ, ଫାଇନାନ୍ସ ଟେକ୍ନୋଲୋଜି ପରାମର୍ଶଦାତା ସ୍ପପ୍ନେନ୍ଦୁ ମହାନ୍ତି ରହିଛନ୍ତି।
ଅନ୍ୟପକ୍ଷରେ, ମୋ କଲେଜ ଅଧ୍ୟକ୍ଷ ଆକାଶଦାସ ନାୟକ, ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗଚୀ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ରାଜ୍ୟ ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ  ପରାମର୍ଶଦାତା ବିଜୟ ସାହୁଙ୍କୁ ମିଳିଥିବା ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ସୁବିଧାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିବା ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଦେଇଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।