ସ୍କୁଲ ପିଲାଙ୍କୁ ଏକାଠି ହୋଲି ଖେଳିବାକୁ ବାରଣ କଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ତେବେ ଏଥର  କରୋନା ପାଇଁ ଫିକା ପଡ଼ିପାରେ ହୋଲି। ଆସନ୍ତାକାଲି ରଙ୍ଗର ପର୍ବ ‘ହୋଲି’ ଥିବାରୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ କରାଯାଉଛି। ଖୁବଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ।”

ଆସନ୍ତାକାଲି ହୋଲି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ କୁହାଯାଇଛି। ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।  ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ, ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ, କର ମର୍ଦ୍ଦନ କି ଆଲିଙ୍ଗନ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କରୋନାରେ ଏଯାବତ ଦେଶରେ ୪୩ଜଣ ଆକ୍ରାନ୍ତ ହୋଇଛନ୍ତି।  ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।