ଛେଳି ଚରାଉ ଥିବା ବେଳେ ଜଙ୍ଗଲ ଭିତରକୁ ଟାଣି ନେଇ…

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ପୁଣି ନାବାଳିକାକୁ ଦୁଷ୍କର୍ମ। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ।

ଗତକାଲିର ଘଟଣା

ଜଣେ ୧୨ ବର୍ଷୀୟ ଝିଅ ଗତକାଲି ଅପରାହ୍ନରେ ଘର ପାଖ ଜଙ୍ଗଲରେ ଛେଳି ଚରାଉ ଥିବା ବେଳେ ଏକୁଟିଆ ପାଇ ପାଖ ଗାଁର ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିଲା। ଯୁବକ ଜଣଙ୍କ ବିବାହିତ। ତାଙ୍କ ନାଁ ଗୁରୁ ବଦ୍ରା। ତାଙ୍କ ଗାଁ ବାରିହା ମୁଣ୍ଡା ଗାଁରେ।

ଝିଅଟି ଏ ବିଷୟରେ ଘର ଲୋକଙ୍କୁ କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପଠାଯାଇଛି।

ପୋଲିସ୍ କ’ଣ କହିଛି?

ଖମାର ଥାନା ଅଧିକାରୀ ସନ୍ତୋଷ କୁମାର ମିର୍ଦ୍ଧା କହିଛନ୍ତି,“ଘଟଣାଟି ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳର। ଝିଅଟି ଛେଳି ଚରାଉ ଥିଲା। ସେତେବେଳେ ସେଇବାଟ ଦେଇ ଅଭିଯୁକ୍ତ ଯାଉଥିଲା। ଝିଅଟିକୁ ଏକୁଟିଆ ପାଇ ଜଙ୍ଗଲ ଭିତରକୁ ଟାଣି ନେଇ ତା’ ସହିତ ଦୁଷ୍କର୍ମ କରିଥିଲା। ଝିଅ ଘର ଲୋକେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଆସ ଥାନାରେ କେସ୍ ଦେଇଥିଲେ।”