ଟଙ୍କା ଜମା କରିବାକୁ ବ୍ୟାଙ୍କରେ ଛିଡ଼ା ହୋଇଥିଲେ, ବ୍ୟାଗରୁ ଗାଏବ ହୋଇଗଲା ଲକ୍ଷେ

ରାଉରକେଲା (ପବନ ତିୱାରୀ): ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଜଣେ ବ୍ୟକ୍ତି ଲାଇନରେ ଠିଆ ହୋଇଥିବା ବେଳେ ତାଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ତାଙ୍କ ବ୍ୟାଗରୁ  ଲକ୍ଷେ ଟଙ୍କା ନେଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଘଟଣାଟି ଘଟିଛି ରାଉରକେଲା ସହରର ବିଶ୍ରା ଛକ ନିକଟରେ ଥିବା ଏସ୍‌ବିଆଇ ବ୍ୟାଙ୍କ ପରିସରରେ। ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ନାଲାରୋଡ଼ର ବାସିନ୍ଦା ଏମ୍‌ଡି ନୌସାଦ ତାଙ୍କ ଦୋକାନରେ କାମ କରୁଥିବା ଏମ୍‌ଡି ଆକିବଙ୍କୁ ୨ ଲକ୍ଷ ଟଙ୍କା ଏସ୍‌ବିଆଇ ବ୍ୟାଙ୍କରେ ଜମା କରିବା ପାଇଁ ପଠାଇଥିଲେ। ସେହି ସମୟରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଥିଲା। ଆକିବ ଟଙ୍କା ଡିପୋଜିଟ୍‌ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ଚତୁରତାର ସହ ବ୍ୟାଗର ଚେନ୍‌କୁ ଖୋଲିଥିଲେ। ପରେ ବ୍ୟାଗରୁ ୧ଲକ୍ଷ ଟଙ୍କା ନେଇ ତାଙ୍କ ପକେଟ୍‌ରେ ଭର୍ତ୍ତି କରି ଥିଲେ। ତା‘ପରେ ସେହି ସ୍ଥାନରୁ ପଳାଇ ଯାଇଥିଲେ।

ଆକିବ ଏହା ଜାଣିପାରି ନଥିଲେ। ପରେ ସେ  ଡିପୋଜିଟ ପାଇଁ ଟଙ୍କା ଖୋଜିଲା ବେଳକୁ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଏହାପରେ ସେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ।  ଆକିବ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଥିଲା।   ଏନେଇ ଆକିବ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଥିଲା। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।