ମିଥ୍ୟା ସରକାରୀ ବିଜ୍ଞପ୍ତି: ୫ ପାଥୋଲୋଜି ଲ୍ୟାବରେ କ୍ରାଇମବ୍ରାଞ୍ଚର ଚଢାଉ

ctcକଟକ: ଫ୍ୟାକଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଡାକ୍ତର ମୋତିଲାଲ ଗୌଡ଼ ନକଲି ଗେଜେଟ୍‌ ନୋଟିଫିକେସନ କରି କୋଟିଏରୁ ଅଧିକ ଟଙ୍କା ରୋଜଗାର କରିଥିବା ଅଭିଯୋଗ ଆସିଛି। କ୍ରାଇମବ୍ରାଞ୍ଚ ଏ ନେଇ ମାମଲା ରୁଜୁ କରି ଚଢାଉ ଆରମ୍ଭ କରିଛି। ଆଜି କଟକର ୨ଟି, ଭୁବନେଶ୍ୱରର ୨ଟି ଓ ତାଲଚେରର ଗୋଟିଏ ପାଥୋଲୋଜି ଲ୍ୟାବରେ ଚଢାଉ କରାଯାଇଛି।

ବିଭିନ୍ନ କଳକାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ସରକାର ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରିଥିଲେ। ୨୦୧୫ ସେପ୍ଟେମ୍ବର ୨୩ର ଏହି ନୋଟିଫିକେସନରେ କୌଣସି ପାଥୋଲୋଜି ଲ୍ୟାବ୍‌କୁ ଶ୍ରମ ବିଭାଗ ପ୍ୟାନେଲ ଭୁକ୍ତ କରି ନ ଥିଲା। ଏହାର ଫାଇଦା ଉଠାଇ ଗୌଡ଼ ଗତବର୍ଷ ଅକ୍ଟୋବର ୧୬ ତାରିଖରେ ନିଜେ ଏକ ନକଲି ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ସେ ୫ଟି ପାଥୋଲୋଜି ଲ୍ୟାବକୁ ପ୍ୟାନେଲଭୁକ୍ତ କରି ଏଠାରେ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ୫ଟି ଭିତରୁ ଗୋଟିଏ ଲ୍ୟାବ ସହ ୬୩ ଲକ୍ଷ ଟଙ୍କାର ଚୁକ୍ତି ମଧ୍ୟ କରିଛି।

ତେବେ ଡାକ୍ତର ଗୌଡ଼ ଏପରି ଅଭିଯୋଗକୁ ଖଣ୍ଡନ କରି ବିଜ୍ଞପ୍ତିରେ ଥିବା ଦସ୍ତଖତ ତାଙ୍କର ନୁହେଁ, କେହି ଏହାକୁ ନକଲ କରିଛି ବୋଲି କହିଛନ୍ତି।

ଗୌଡ଼ଙ୍କୁ ବିଜେଡିର କିଛି ବିଧାୟକ ଓ ମନ୍ତ୍ରୀ ସୁରକ୍ଷା ଯୋଗାଉ ଥିବା ବିଜେପି ଅଭିଯୋଗ କରିଛି। ୩ ଜଣ ବିଧାୟକ ପ୍ରଣବ ବଳବନ୍ତ ରାୟ, ବ୍ୟୋମକେଶ ରାୟ, ଅନୁଭବ ପଟ୍ଟନାୟକ ଏବଂ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସହ ଗୌଡ଼ଙ୍କ ଫଟୋ ଦେଖାଇ ବିଜେପି ଏ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଶାସକ ଦଳର ନେତାଙ୍କ ଛତ୍ରଛାୟାରେ ଏବେ ଅପରାଧୀମାନେ ପୋଷି ହେଉଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ସହ ଏହି ଡାକ୍ତରଙ୍କ ସମ୍ପର୍କ ରହିଛି। ବିଜେଡି ମୁଖ୍ୟ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଏହି ନେତାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମନ୍ତ୍ରୀ ଓ ବିଧାୟକ ଅଛନ୍ତି କହି ଏପରି ଶସ୍ତା ମନ୍ତବ୍ୟ ଗଣମାଧ୍ୟମରେ ଦେଇ କେବଳ ଚାଞ୍ଚଲ୍ୟ ସୃଷ୍ଟି କରାଯାଉଛି। ଯଦି କିଛି ତଥ୍ୟ ଅଛି, ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଲିଖିତ ଆକାରରେ ଦେଇ ପ୍ରମାଣ ପଦାକୁ ଆଣନ୍ତୁ। ଆଇନରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଘଟଣାର ତଦନ୍ତ ହେଉ, ଯଦି କେହି ଦୋଷୀ ଥିବେ ତାଙ୍କ ବିରୋଧରେ ନିଶ୍ଚିତ ଦଣ୍ଡବିଧାନ କରାଯିବ।”