ନିରଞ୍ଜନ ହତ୍ୟା ମାମଲା: ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମିଳିଲା ଜାମିନ୍‌

ଭଦ୍ରକ: ନିରଞ୍ଜନ ଜେନା ହତ୍ୟାକାଣ୍ଡ ମାମଲାରେ ଆଜି ଭଦ୍ରକ ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିବା ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଜାମିନ୍‌ ମିଳିଛି। ଦୁଇ ଜାମିନଦାର ଓ ୨୫,୦୦୦ ଟଙ୍କା ବଦଳରେ ଏଡିଜେ କୋର୍ଟ ତାଙ୍କୁ ଜାମିନ୍‌ ଦେଇଛନ୍ତି।

ଏହି ହତ୍ୟାକାଣ୍ଡ ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହିତ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ଆଜି ମୁକ୍ତିକାନ୍ତ ଭଦ୍ରକ ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

୨୦୦୨ ମସିହାରେ ଭଦ୍ରକର ସୁଷୋ ଗାଁର ନିରଞ୍ଜନ ଜେନାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ମୃତ ନିରଞ୍ଜନଙ୍କ ଦାଦା ଦୁଃଶାସନ ଜେନା ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୬ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ମୁକ୍ତିକାନ୍ତ ଏବଂ ଅନ୍ୟ ଜଣଙ୍କର ନାଁ ଚାର୍ଜସିଟ୍‌ରୁ ବାଦ ଦେଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଦୁଃଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।