ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସର ପ୍ରଶ୍ନ

ଭୁବନେଶ୍ୱର: ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୋଦି ବରଗଡ଼ ଚାଷୀ ସମାବେଶରେ ଚାଷୀଙ୍କ ପାଇଁ କିଛି ଘୋଷଣା କରି ନ ଥିବାବେଳେ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସିଧାସଳଖ ସମାଲୋଚନା କରିନାହାନ୍ତି। ଏହାକୁ ନେଇ କଂଗ୍ରେସ ପୁଣି ଥରେ ଦୁଇ ଦଳଙ୍କୁ ଟାର୍ଗେଟ କରିଛି। ମୋଦିଙ୍କ ଏପରି ନୀରବତା ବିଜେପି-ବିଜେଡି ଭିତିରି ସମ୍ପର୍କକୁ ପୁଣି ଥରେ ପ୍ରମାଣିତ କରିଛି ବୋଲି କଂଗ୍ରେସ ଦୋହରାଇଛି।

ଆଜି ବରଗଡ଼ରେ ଦେଖିବାକୁ ମିଳିଥିଲା ମୋଦି ମାନିଆ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣିବାକୁ ସମସ୍ତଙ୍କର ଥିଲା ଅପେକ୍ଷା। କିନ୍ତୁ ମୋଦି ଚାଷୀଙ୍କ ପାଇଁ କିଛି ପ୍ୟାକେଜ୍ ଘୋଷଣା କଲେ ନାହିଁ କି ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ପଦୁଟିଏ ବି କହିଲେ ନାହିଁ। ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ମୋଦିଙ୍କ ଏଭଳି ଆଭିମୁଖ୍ୟକୁ କଂଗ୍ରେସ ସହଜରେ ଗ୍ରହଣ କରିନାହିଁ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାକୁ ତିନି ଥର ଆସିଛନ୍ତି। ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ପ୍ରଶଂସା କରିଥିବା ବେଳେ ପାରାଦୀପ ଆଇଓସିଏଲ୍ କାର୍ଯ୍ୟକ୍ରମରେ ନୀରବ ରହିଲେ। ତେବେ ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମ ଥିଲା। ତେବେ ବରଗଡ଼ ସମାବେଶ ବିଜେପିର ଦଳୀୟ କାର୍ଯ୍ୟକ୍ରମ ଥିଲା। ଚର୍ଚ୍ଚା ହେଉଥିଲା ମୋଦି ସମାଲୋଚନା କରିବେ, କିନ୍ତୁ ତାହା ହେଲା ନାହିଁ। ଠିକ୍ ଯେମିତି ଗତବର୍ଷ ବିଜେପି ରାଷ୍ଟ୍ରୀୟ  ସଭାପତି ଅମିତ ଶାହା ବିଜେପିର ମହାସଂଗ୍ରାମ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସେତେଟା ସମାଲୋଚନା କରି ନ ଥିଲେ। ଅନ୍ୟପକ୍ଷେ ରାଜ୍ୟକୁ ଘନଘନ କେନ୍ଦ୍ରମନ୍ତ୍ରୀ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଉ ନାହାନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ କେବଳ ନିରାଶ କରି ନାହାନ୍ତି, ଚାଷୀଙ୍କୁ ହତାଶ ମଧ୍ୟ କରିଛନ୍ତି। ତାଙ୍କ ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ବିଫଳ ହୋଇଛି। ନବୀନ ବାବୁଙ୍କ ସହ ତାଙ୍କର ଭିତିରି ବୁଝାମଣା ହୋଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପୂର୍ବରୁ ବିଜେପି କହୁଥିଲା ସୋନିଆ ଗାନ୍ଧି ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଫିକ୍ସିଂ ହେଉଛି। ଏବେ କଂଗ୍ରେସ ସେହିଭଳି ମନ୍ତବ୍ୟ ଦେଉଛି। ହତାଶ ହୋଇ କଂଗ୍ରେସ ଏପରି ମନ୍ତବ୍ୟ ଦେଉଛନ୍ତି।

ବର୍ଷ ତମାମ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପି ଶାଖା ସରକାରଙ୍କ ଉପରେ ବର୍ଷୁଛି। ତେବେ ମୋଦିଙ୍କ ଏଭଳି ଆଭିମୁଖ୍ୟ ପରେ ରାଜ୍ୟ ବିଜେପିର କ’ଣ ରହିବ ରଣନୀତି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।