ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ପରିସରରେ ଆଜି ରେଲୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସାମିଲ ହେବେ ନାହିଁ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି।
ସେ ଆହୁରି କହିଛନ୍ତି,“ ଗୃହ କମିଟି ବୈଠକରେ ରେଲୱେ ବଜେଟ୍ ସଂପର୍କରେ ମୁଁ ସରକାରୀ ଅଧିକାରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି। ସେମାନେ ମୋ ପ୍ରଶ୍ନରେ ଉତ୍ତର ଦେବେ ନାହିଁ ବୋଲି କହିଥିଲେ। ବାଚସ୍ପତିଙ୍କ ପ୍ରଶ୍ନରେ ଉତ୍ତର ଦେବୁ ବୋଲି କହିଥିଲେ।”
ବିଜେପି ବିଧାୟକ କହିଛନ୍ତି,“ ହାଉସ କମିଟିର ମୁଁ ଜଣେ ସଦସ୍ୟ। ମୁଁ ଯାହା ପ୍ରଶ୍ନ ପଚାରିବି ଅଫିସରମାନେ ତାହାର ଉତ୍ତର ଦେବାକୁ ବାଧ୍ୟ। ହେଲେ ସରକାରୀ ଅଧିକାରୀମାନେ ମୋ କଥାକୁ ଉପେକ୍ଷା କରିବା କାରଣରୁ ମୁଁ ବାଧ୍ୟ ହୋଇ ବୈଠକ ଚାଲିଥିବା ବେଳେ ଉଠି ଆସିଥିଲି।”
ସୂଚନାଯୋଗ୍ୟ, ଆଜି ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରେଲୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଛି। ଓଡ଼ିଶାକୁ ମିଳିଥିବା ରେଲୱେ ଅନୁଦାନ ନେଇ ବୈଠକରେ ଆଲୋଚନା ଚାଲିଛି। ସମୀକ୍ଷା ପରେ କାଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଗୃହ କମିଟି ଭେଟିବାର କାର୍ଯ୍ୟକ୍ରମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।