ଓଡ଼ିଶା ଛୁଇଁଲା ମୌସୁମୀ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ ଓଡ଼ିଶାରେ ପହଞ୍ଚିଛି। ଧାର୍ଯ୍ୟ ସମୟଠାରୁ ପାଖାପଖି ୧୧ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଛି ଓ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି ଏବଂ ଆସନ୍ତା ୨/୩ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତି ଜାହିର କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା […]

sw

Hemant Lenka
  • Published: Friday, 21 June 2019
  • , Updated: 21 June 2019, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ ଓଡ଼ିଶାରେ ପହଞ୍ଚିଛି। ଧାର୍ଯ୍ୟ ସମୟଠାରୁ ପାଖାପଖି ୧୧ ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁଛି ଓ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି ଏବଂ ଆସନ୍ତା ୨/୩ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତି ଜାହିର କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ପରବର୍ତ୍ତୀ ମହାନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ମୌସୁମୀ ଆଜି ଓଡ଼ିଶା ଛୁଇଁଥିବାରୁ ଆଜି ସକାଳୁ ସମଗ୍ର ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଛି। ସମଗ୍ର ରାଜ୍ୟରେ ମୌସୁମୀ ପହଞ୍ଚିବାକୁ ଆହୁରି ୪୮ ଘଣ୍ଟା ସମୟ ଲାଗିବ। ପ୍ରଥମେ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରି ଧୀରେଧୀରେ ସମଗ୍ର ରାଜ୍ୟକୁ ଛୁଇଁବ।”

ମୌସୁମୀ ପ୍ରବେଶର ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ବର୍ଷା ହୋଇଛି।ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜରେ ମୌସୁମୀ ପ୍ରବେଶ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ କେନ୍ଦୁଝରର କିଛି ଅଂଶରେ ନିଜର ଉପସ୍ଥିତି ଜାହିର କରିଛି।

ସାଧାରଣତଃ ଜୁନ୍‌ ୧୦ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତ ବର୍ଷ ଏହା ୧୦ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଛି। ତଥାପି ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଆସନ୍ତା ୨ ଦିନ ଯାଏ ଓଡ଼ିଶା ଉପରେ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ଯାଏ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏହି ସମୟ ସୀମା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର,ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ବାଲେଶ୍ୱର,ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜମ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Related story