ଗରମରୁ ମିଳିବ ନିସ୍ତାର: ପଢ଼ନ୍ତୁ କେବେ ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗ୍ରୀଷ୍ମର ଲହରୀ ଜାରି ରହିଛି। ଆଜି ବି ପ୍ରବଳ ଖରାରେ ଭାଜି ହେଉଛି ରାଜଧାନୀ। ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଏହା ମଧ୍ୟରେ ଆସିଛି ଏକ ଖୁସି ଖବର। ଆସନ୍ତା ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବ। ଏହି ସମୟରେ ହାଲ୍‌କା ହାଲ୍‌କା ବର୍ଷା ହେବ। ୨୫ରୁ ବର୍ଷାର ପରିମାଣ ବଢ଼ିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲା। ଫଳରେ ଚାଷୀଙ୍କ ମନରେ ମଧ୍ୟରେ ଖସିର ଲହରୀ ଖେଳି ଯାଇଥିଲା। ଏପରିକି ଦୁଇରୁ ତିନି ଦିନ ବର୍ଷା ହୋଇଥିଲା। କେତେକ ସ୍ଥାନରେ ଚାଷ ପାଇଁ ତଳି ପକାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ବର୍ଷା ଯୋଗୁଁ ରଜ ଫିକା ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବର୍ଷା କେଉଁଆଡ଼େ ଚାଲିଗଲା। ଲେଉଟିଲା ଗ୍ରୀଷ୍ମ ପ୍ରବାହ। ଆକାଶରୁ ଖସିଲା ନିଆଁ। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା। ଏଥିରେ ବେଶୀ ପ୍ରଭାବିତ ହେଉଥିଲା ରାଜଧାନୀ ଭୁବନେଶ୍ୱର। ରେକର୍ଡ କଲା ତାପମାତ୍ରା। ଲଗାତାର ୩ ଦିନ ଧରି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ରାଜ୍ୟର ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।