ଓଡ଼ିଶା ଛୁଇଁଲା ମୌସୁମୀ; ୪୮ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ପ୍ରବେଶ କରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଏହା ଫୁଲବାଣୀ, କେନ୍ଦୁଝର ଓ ଜାମସେଦପୁର ଦେଇ ଗତି କରୁଛି। ଆଜି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।”

ସେ ଆହୁରି କହିଛନ୍ତି,“୪୮ ଘଣ୍ଟା ମଧ୍ୟରେ ବାକି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିବ।”

ଏଥର ବହୁ ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସିଛି। ଜୁନ୍ ୮ରେ ଏହା କେରଳ ଛୁଇଁଥିଲା। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଆସିଥାଏ। ଏଥର ୧୩ ଦିନ ପରେ ମୌସୁମୀ ଆସିଛି। ବାତ୍ୟା ‘ବାୟୁ’ ଯୋଗୁ ମୌସୁମୀ ଓଡ଼ିଶା ଆସିବାରେ ବିଳମ୍ବ ହୋଇପାରେ ବୋଲି ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା।