ଟ୍ରେନ୍‌ ଦୁର୍ଘଟଣାରେ ମା’ ଝିଅଙ୍କ ଜୀବନ ଗଲା, ବର୍ତ୍ତିଗଲା ଅଢ଼େଇ ମାସର ଶିଶୁ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୋରେଇ ଷ୍ଟେଶନରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ଗୋଟିଏ ପରିବାରକୁ ଛାରଖାର କରି ଦେଇଛି। ଏହି ଦୁର୍ଘଟଣାରେ  ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବଶଃତ ତାଙ୍କ ଅଢ଼େଇ ମାସର ନାତୁଣୀ ବଞ୍ଚି ଯାଇଛି। ମୃତା ମହିଳାଦ୍ୱୟ ହେଲେ ପାର୍ବତୀ ବିନ୍ଧାଣି ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣି।

ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କା‍ଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଯେ ସେମାନଙ୍କୁ ମୃତ୍ୟୁ ଅନାଇ ବସିଛି। କଣ୍ଢେଇଙ୍କ ପେଟରେ ଟ୍ୟୁମର ହୋଇଥିବାରୁ ଏମଆରଆଇ କରିବାକୁ ସେ ନିଜ ମା’ଙ୍କ ସହ କଟକ ବଡ଼ ମେଡିକାଲ ବାହାରିଥିଲେ। ଏଥିନିମନ୍ତେ କୋରେଇ ଷ୍ଟେଶନରେ ଟିକେଟ କାଟି ଛୋଟ ଛୁଆକୁ ଧରି ଉଭୟ ଟ୍ରେନ୍‌ ଅପେକ୍ଷାରେ ଯାତ୍ରୀ ବିଶ୍ରାମାଗାରରେ ଥିଲେ। ହେଲେ ସେମାନଙ୍କୁ ଜଣା ନ ଥିଲା ଯେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଲୌହ ଦାନବ ଯୋଗୁ ଆଖି ପିଛୁଳାକେ ସେମାନଙ୍କ ଜୀବନ ଦୀପ ଲିଭିଯିବ।

ଟ୍ରେନ୍‌ର କିଛି ବଗି ହଠାତ୍‌ ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡ଼ି ଯାଇ କାନ୍ଥ ଭାଙ୍ଗି ଯାଇଥିଲା। ଉକ୍ତ ସମୟରେ ଯାତ୍ରୀ ବିଶ୍ରାମାଗାରରେ ଥିବା ପାର୍ବତୀ ବିନ୍ଧାଣି ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣିଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା।

ତୁରନ୍ତ ସେମାନଙ୍କୁ କୋରେଇ ହସ୍ପିଟାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ କଣ୍ଡେଇଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ କଣ୍ଡେଇଙ୍କ ଅଢ଼େଇ ମାସର ଝିଅ ସାମାନ୍ୟ ଆହତ ହୋଇଥିବା ବେଳେ ସେ ବିପଦମୁକ୍ତ ଥିବା କୋରେଇ ହସ୍ପିଟାଲ ଡାକ୍ତର ପ୍ରକାଶ କରିଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ଆଉ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ଅବଜୁଲ ବିବି।

ପାର୍ବତୀ ଓ ତାଙ୍କ ଝିଅଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏପରିକି ଘରୁ ବାହାରି ଆସିବାର ମାତ୍ର କୋଡ଼ିଏ ମିନିଟ ପରେ ସେମାନଙ୍କ ମୃତ୍ୟୁ ଖବର ପହଞ୍ଚି ଥିବା ବେଳେ ଏହାକୁ ପରିବାର ଲୋକେ ସହଜେ ବିଶ୍ୱାସ କରି ପାରି ନ ଥିଲେ।

ଏହି ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ହୋଇଛି। କେଉଁ କାରଣ ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ସେ ନେଇ ତଦନ୍ତ ହେଉଛି। ତାସହ ରୁଟ୍ ଓ ପ୍ଲାଟଫର୍ମର ମରାମତି କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।