୩୦ ଫୁଟ ଗଭୀର କୂଅ ଭିତରେ ଅଧଘଣ୍ଟେ ମା, ପୁଅ: ଏମିତି ଥିଲା ସେ ଲୋମଟାଙ୍କୁରା ମୁହୂର୍ତ୍ତ

ବଲାଙ୍ଗିର (ସସ୍ମିତା ସାହୁ): ଗର୍ଭର ଅନ୍ଧକାରରୁ ଦୁନିଆର ଆଲୋକ ଦେଖାଇଥାଏ ମା। ଛୁଆ ପାଇଁ ସାରା ଜୀବନ କଲବଲ ହୋଇଥାଏ ନିଜକୁ ଯନ୍ତ୍ରଣା ଦେଇ। ସବୁବେଳେ ଚେଷ୍ଟା କରେ ପିଲା ମୁହଁରେ ହସ ଦେଖିବାକୁ। ଏପରିକି ନିଜ ପିଲା ପାଇଁ ଜୀବନ ଦେବାକୁ ସବୁବେଳେ ପ୍ରସ୍ତୁତ ଥାଏ ମା। ବଲାଙ୍ଗିର ସହରର ତାଳପାଲି ପଡାରେ ଗତକାଲି ଏଭଳି ଏକ ଘଟଣା ଘଟିଛି। କୂଅରେ ପଡ଼ି ଯାଇଥିବା ୩ ବର୍ଷର ପୁଅକୁ ଉଦ୍ଧାର କରିବାକୁ ଡେଁଇ ପଡ଼ିଥିଲେ ମା, ଚମ୍ପେଶ୍ୱରୀ। ପୁଅକୁ ଧରି କୂଅ ଭିତରେ ଅଣ୍ଟାଏ ପାଣିରେ ଛିଡା ହୋଇ ପରିବାର ଲୋକଙ୍କୁ ଡାକ ପକାଇଥିଲେ। ୩୦ ଫୁଟ ତଳେ କିଟି କିଟି ଅନ୍ଧାର ଆଉ ଅଣ୍ଟାଏ ପାଣି ଭିତରେ କେମିତି ଅଧଘଣ୍ଟା ଧରି ମା, ପୁଅ ସଂଘର୍ଷ କରିଥିଲେ। ପରିବାର ଲୋକେ ଓ ସାହି ପଡ଼ିଶା ଆସି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଉଦ୍ଧାର ପରେ ଖନି ପାଟିରେ ପୁଅ ସତୀଶ କହିଥିଲା, କୂଅ ଭିତରେ ମାକୁ ଭୟ ଲାଗୁଥିଲା, ମୋତେ ନୁହେଁ। ଯାହାର କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ବାହାରି ଆସିବ। ଆପଣ ବି କହିବେ ‘ମା ତୁଝେ ସଲାମ୍‌’।
bolangiri

ଏମିତି ଥିଲା ଘଟଣା
ଗୁରୁବାର ସନ୍ଧ୍ୟା ସାଢେ ୫ଟା। ଘର ଅଗଣାରେ ଖେଳୁଥିଲା ସତୀଶ। ବର୍ଷକର ଝିଅକୁ ଦେଖାଶୁଣା କରୁଥିଲେ ମା। ଏତିକି ବେଳେ ବାହାରୁ କେହି ଜଣେ ପାଟିକଲା, ପୁଅ କୂଅ ଭିତରକୁ ଖସିଗଲା। ମା ବି ଦେଖିଲେ ପୁଅ ନାହିଁ। କେହି କିଛି କହିବା ଆଗରୁ, କୂଅର ରେଲିଂକୁ ଧରି ସିଧା ଡେଇଁ ପଡିଲେ ୩୦ ଫୁଟ ଗଭୀର କୂଅ ଭିତରକୁ। ଅନ୍ଧାର କିଟି କିଟି କୂଅ ଭିତରେ ପୁଅକୁ ଜାବୁଡି ଧରିଥିଲେ ମା। ଭଗବାନଙ୍କୁ ସ୍ମରଣ କରି ପାଖାପାଖି ଅଧଘଣ୍ଟା ଧରି, ପୁଅର ଜୀବନ ରକ୍ଷା କରିବାକୁ ସଂଘର୍ଷ କରିଥିଲେ।

ପ୍ରଥମେ କୂଅ ଭିତରକୁ ଦଉଡି ପକାଇ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସାଇ ପଡିଶା। କିନ୍ତୁ ସଫଳ ନହେବାରୁ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅ ଭିତରକୁ ସିଡି ପକାଇ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ। କୂଅ ଭିତରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ପରେ, ମା କହିଥିଲେ ପ୍ରଥମେ ମୋ ପୁଅକୁ ଉଦ୍ଧାର କର। ତେଣୁ ପ୍ରଥମେ ଛୁଆ, ତା’ପରେ ମାଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ। ମାର ଏଭଳି ସାହସ ଦେଖି ପାଖ ପଡୋଶୀଙ୍କ ସମେତ ଖୋଦ ଅଗ୍ନିଶମ ଅଧିକାରୀ ଚମ୍ପେଶ୍ୱରୀଙ୍କୁ ସାବାସୀ ଦେଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More