ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ’ମୋର ଏ ଲଢ଼େଇ ସରିନି। ମୁଁ ପୁଣି ଭୁବନେଶ୍ୱର ଫେରିବି।’ ଶନିବାର ଭୁବନେଶ୍ୱରରୁ ରାଉରକେଲା ଫେରିବା ବେଳେ ଏହି କଥା କହିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ।
ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ। ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ୨୦୧୩ରେ ରାଉରକେଲା ଗସ୍ତ କରିଥିବା ଅବସରରେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକୁ ପାଳନ କରି ନଥିବାରୁ, ସେ କଥା ମନେ ପକାଇ ଦେବାକୁ ମୁକ୍ତିକାନ୍ତ ଭୁବନେଶ୍ୱର ଆସିଥିଲେ। ସେ ଚାଲି ଚାଲି ରାଉରକେଲାରୁ ଭୁବନେଶ୍ୱର ଆସିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ପ୍ରତିଶ୍ରୁତି କଥା ମନେ ପକାଇ ଦେବାକୁ ଚାହୁଁଥିଲେ। ତେବେ ୭ ଦିନ ଅପେକ୍ଷା କଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ଦିଆଗଲା ନାହିଁ। ଫଳରେ ୪ ଦିନ ତଳେ ସେ ଶିଶୁ ଭବନ ଛକ ନିକଟସ୍ଥ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯାଇ ଆତ୍ମାହୁତି ଧମକ ଦେଇଥିଲେ।
ପ୍ରାୟ ୫ ଘଣ୍ଟାର ପ୍ରୟାସ ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତାଙ୍କୁ ହୋର୍ଡିଂ ଉପରୁ ଉଦ୍ଧାର କରିଥିଲେ। ତା’ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଗତକାଲି ପର୍ଯ୍ୟନ୍ତ ସେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଥିଲେ। ଗତକାଲି ତାଙ୍କୁ ସେଠାରୁ ଡିସ୍ଚାର୍ଜ କରାଯାଇ ରାଉରକେଲା ପଠାଇ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ ସାକ୍ଷାତ ନ କରିବାରୁ ମୁକ୍ତିକାନ୍ତ କହିଥିଲେ ଯେ ଏଠାରେ ଏକଛତ୍ରବାଦୀ ଶାସନ ଚାଲିଛି। ରାଉରକେଲାର ଓ ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଲଢ଼େଇ ଜାରି ରହିବ। ତାଙ୍କୁ ଗିରଫ କଲେ ସ୍ଥିତି ଭୟଙ୍କର ହେବ। ସେ ଜେଲ୍ରେ ଆମରଣ ଅନଶନରେ ବସିବେ।
ସୂଚନାଯୋଗ୍ୟ, ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଥିବା ବେଳେ ସେଠାରେ ଏକ ସାଧାରଣ ସଭାରେ ରାଉରକେଲା ସରକାରୀ ହସ୍ପିଟାଲକୁ ୪୦୦ ଶଯ୍ୟା ବିଶିଷ୍ଟ ମଡେଲ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା ପାଇଁ କହିବା ସହିତ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ୍ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ଓ ନଦୀ କଡ଼ରେ ରିଙ୍ଗ ରୋଡ ଏବଂ ନଦୀ ବନ୍ଧ ନିର୍ମାଣ ପାଇଁ କଥା ଦେଇଥିଲେ। କେବଳ ସେତିକି ନୁହେଁ, ନୂଆ ଗାଁ ବିର୍ଶା ଅଞ୍ଚଳରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ସୁବିଧା ପାଇଁ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।