ମୁନିଗୁଡ଼ାକୁ ଏନଏସି ଘୋଷଣା ଦାବିରେ ୧୨ଘଣ୍ଟିଆ ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରକୁ ଏନଏସି ଘୋଷଣା କରିବା ଦାବିରେ ଆଜି ସେଠାରେ ୧୨ ଘଣ୍ଟିଆ  ବନ୍ଦ ପାଳନ କରାଯାଇଛି।ମୁନିଗୁଡ଼ା ଏନ୍ଏସି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି।

୨୦୦୦ ମସିହାରୁ ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା ଦେବା ପାଇଁ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ କରାଯାଇନାହିଁ। ସରକାର ଦ୍ୱାରା ଘୋଷିତ ଏନଏସି ତାଲିକାରେ ମୁନିଗୁଡ଼ା ଶୀର୍ଷରେ ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଏହାକୁ ବିରୋଧ କରି ଏପରି ବନ୍ଦ ଡାକରା ଦିଆଯାଇଛି। ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଥିବା ବିଷମକଟକ ଏସଡିପିଓ ଅନନ୍ତ ପ୍ରସାଦ ମଲ୍ଲିକ କହିଛନ୍ତି।