ଅଭିଯୁକ୍ତଙ୍କୁ ଥାନାକୁ ଆଣି ପିଟିପିଟି ହତ୍ୟା!

ଉଦଳା: ପୁଣି ଆସିଛି ହାଜତ ମୃତ୍ୟୁର ଅଭିଯୋଗ। ଲୁଟ ମାମଲାରେ ପୁଲିସ୍‌ ଗିରଫ କରିଥିବା ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ବିବାଦ ଦେଖାଯାଇଛି। ଉଦଳା ପୁଲିସ୍‌ ଉକ୍ତ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହାକୁ ନେଇ ଉଦଳା ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ପ୍ରଦୀପ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଘରୁ ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ ହୋଇଥିଲା। ଏହି ଘଟଣାରେ ତଦନ୍ତ କରି ପୁଲିସ୍‌ ପ୍ରଦୀପଙ୍କୁ ଗତକାଲି ରାତିରେ ଗିରଫ କରିବା ସହ ଥାନାକୁ ଆଣିଥିଲା। ତଦନ୍ତ ଚାଲିଥିବେ ବେଳେ ଆଜି ସକାଳୁ ହଠାତ୍‌ ପ୍ରଦୀପ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଥାନାରେ ରାତି ତମାମ ପୁଲିସ୍‌ ପ୍ରଦୀପଙ୍କୁ ମାଡ଼ ମାରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବେଶ କିଛି ସମୟ ଉଦଳା ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।

ମୃତ ଯୁବକ ଜଣକ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁରେ ପୂର୍ବରୁ କୌଣସି ପ୍ରକାରର ଅଭିଯୋଗ ନ ଥିଲା। ଏହା ସତ୍ତ୍ୱେ ପୁଲିସ୍‌ ବିନା କାରଣରେ ତାଙ୍କୁ ଉଠାଇ ଆଣିଥିଲା। ଏହାପରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ପ୍ରଦୀପଙ୍କ ବଡ଼ ଭାଇ ରାଧାକାନ୍ତ ଦାସ କହିଛନ୍ତି।

ସେ କହିଛନ୍ତି, “ମୋ ଭାଇ ରାଜ୍ୟ ସରକାରଙ୍କ ଆରଡବ୍ଲ୍ୟୁଏସ୍‌ ବିଭାଗରେ ନାଇଟ ୱାଚ୍‌ମାନେ ବାଲେଶ୍ୱର ମୁଖ୍ୟାଳୟରେ କାର୍ଯ୍ୟ କରୁଥିଲା। କାଲି ସନ୍ଧ୍ୟାରେ ଆମେ ଦୁଇ ଭାଇ କ୍ଷୀରଚୋରା ମନ୍ଦିର ପାଖରେ ଚା’ ପିଉଥିଲୁ। ହଠାତ୍‌ ସାଦା ପୋଷାକରେ କିଛି ଲୋକ ବୋଲେର ଗାଡ଼ିରେ ପହଞ୍ଚିଥିଲେ।

ଏହାପରେ ସେମାନେ ଜବରଦସ୍ତି ମୋ ଭାଇକୁ ଧରି ଉଦଳା ଥାନାକୁ ନେଇ ଆସିଥିଲେ। ମୋ ଭାଇ ନାଁରେ ଆଜି ଯାଏ କୌଣସି ଥାନାରେ କିଛି ବି ଅଭିଯୋଗ ନାହିଁ। ସେ ଜଣେ ସରକାରୀ କର୍ମଚାରୀ। ତା’ର ଗୋଟିଏ ପୁଅ ଗୋଟିଏ ଝିଅ। କାଲି ରାତି ୨ଟା ଯାଏ ଆମେ ଥାନାରେ ଅପେକ୍ଷା କରି ସେଠାକାର କର୍ମଚାରୀମାନଙ୍କୁ ଭାଇ ସହ ଦେଖା କରାଇ ଦେବାକୁ ଅନୁରୋଧ କରିଥିଲୁ।

ହେଲେ କେହି ବି ଆମ କଥା ଶୁଣି ନଥିଲେ। ଆମକୁ ସେମାନେ ଧକ୍କା ମାରି ବାହାରକୁ ବିଦା କରିଦେଇଥିଲେ। ଆଜି ୧୦ଟା ୧୧ଟା ବେଳେ ଆମେ ପୁଣି ଥାନାରେ ପହଞ୍ଚିଥିଲୁ। ହେଲେ ସେତେବେଳକୁ ଭାଇ ମରି ଯାଇଥିବା ଥାନା କର୍ମଚାରୀ କହିଥିଲେ। ଆମେ ଉଦଳା ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଦେଖିଥିଲୁ। ମୋ ଭାଇର ପେଟ ଓ ପିଟିରେ ଶକ୍ତ ମାଡ଼ର ଦାଗ ରହିଛି। ତା’କୁ ରାତି ତମାମ ପୁଲିସ୍‌ କର୍ମଚାରୀମାନେ ମଦ ପିଇ ମାଡ଼ ମାରିଛନ୍ତି। ଏତେ ଜୋର୍‌ରେ ସେମାନେ ତା’କୁ ବାଡ଼େଇଛନ୍ତି ସେ ମଳତ୍ୟାଗ ମଧ୍ୟ କରି ଦେଇଛି। ପୁଲିସ୍‌ର ଏପରି ନିର୍ମମ ଓ ଅମାନୁଷିକ କାର୍ଯ୍ୟ ବିରୋଧରେ ତୁରନ୍ତ ପଦକ୍ଷେପ ନେବା ଦରକାର।” ତେବେ ପୁଲିସ୍‌ ଏହି ଅଭଯୋଗକୁ ଖଣ୍ଡନ କରିଛି। ପ୍ରଦୀପ ଆଜି ସକାଳୁ ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା ବୋଲି ପୁଲିସ୍‌ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।