ମାଲକାନଗିରି ପରେ ଆଉ ଏକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର (ନବଘନ ବିଶୋୟୀ): ରାଜ୍ୟରେ ଆଉ ଏକ ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ମହାମାରୀ କରୋନା ବ୍ୟାପିବା ଆଶଙ୍କାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ଜାରି କରିଛି। ଗୁରୁବାର ଅର୍ଥାତ୍ ଆସନ୍ତାକାଲିଠାରୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଏଥିସହ ଆଉ କିଛି କଟକଣା ମଧ୍ୟ ଲଗାଇଛନ୍ତି ଜିଲ୍ଲାପାଳ। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ସେହିପରି ଜରୁରୀ ନଥିବା ସେମିନାର, ୱାର୍କଶପ୍ ଓ କନ୍‌ଫରେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗହଳି ହେଉଥିବା ସ୍ଥାନ ଯେପରିକି ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ୍, ବାହାଘର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜନୈତିକ ଶୋଭାଯାତ୍ରା, ଅପେରା ଓ ବିଭିନ୍ନ ଆନ୍ଦୋଳନ କରିବା ଉପରେ ରୋକ୍ ଲଗାଯାଇଛି।

କଲ୍ୟାଣ ମଣ୍ଡପ ଗୁଡ଼ିକରେ ଗହଳି ସମ୍ଭାବନା ଥିବାରୁ ଏସବୁ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା କାର୍ଯ୍ୟକାରୀ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ଜାରି କରିସାରିଛି। ବଡ଼ ଯାତ୍ରା ଯୋଗୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଜିଲ୍ଲାରେ ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।