୭ରେ ନାଇଜରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇଜରକୁ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଏହି ଜାତୀୟ ଶିକ୍ଷାନୁଷ୍ଠାନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ନାଇଜର ଘୋଷଣା ହେବାର ୯ବର୍ଷ ପରେ ନୂଆ ସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହେବ ପାଠପଢା।

ଅତ୍ୟାଧୁନିକ ଭିତ୍ତିଭୂବିକୁ ନେଇ ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଏହି ଜାତୀୟ ଶିକ୍ଷାନୁଷ୍ଠାନ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ୭ ତାରିଖ ସକାଳ ୯ଟାରୁ ୧୦ଟା ଘଣ୍ଟାଏ ଏହି ଅନୁଷ୍ଠାନରେ ରହିବେ ପ୍ରଧାନମନ୍ତ୍ରୀ। ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ବି ରହିଛି।

୨୯୮ ଏକର ପରିମିତ ଏହି କ୍ୟାମ୍ପସରେ ରହିଛି ୫ଟି ସ୍କୁଲ। ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସ, କେମିକାଲ ସାଇନ୍ସ, ମ୍ୟାଥମେଟିକାଲ ସାଇନ୍ସ, ଫଇଜିକାଲ ସାଇନ୍ସ ଓ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ। ଆସନ୍ତା ଶିକ୍ଷାବର୍ଷରୁ ଏଠାରେ କମ୍ପ୍ୟୁଟର ସାଇନ୍ସ ଓ ଆର୍ଥ ଆଣ୍ଡ ପ୍ଲାନେଟାରୀ ବିଭାଗ ଖୋଲିବାକୁ ଯାଉଛି। ଦେଶ ବିଦେଶର ପ୍ରାୟ ୭୦୦ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି।

୨୦୦୬ରେ ଦେଶରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ନାଇଜର ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ୨୦୦୭ରେ ଭୁବନେଶ୍ୱର ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ପାଠପଡା। ୨୭ ଡିସେମ୍ବର ୨୦୦୯ରେ ତତକାଳୀନ ପ୍ରଧାନମନ୍ତ୍ର ମନମୋହନ ସିଂ ସ୍ଥାୟୀକ୍ୟାମ୍ପସ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ।