ନାଲିବତୀ ଗାଡ଼ି ଧରି ବୁଲୁଥିବା ନେଇ ନବରଙ୍ଗପୁର ବିଧାୟକଙ୍କ ନାଁରେ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା  ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ  ମନୋହର ରନ୍ଧାରୀ ଗାଡ଼ିରେ ନାଲିବତୀ ଲଗାଇ ବୁଲୁଥିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ଆଜି ନବରଙ୍ଗପୁର ଟାଉନ ଥାନାରେ ଏତଲା  ଦିଆଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନାଲିବତୀ ବ୍ୟବହାର ସମ୍ପର୍କରେ ନିୟମାବଳୀ ରାଜ୍ୟ ପରିବହନ ବିଭାଗ ଗେଜେଟ ୨୦୧୪ ମାର୍ଚ୍ଚରେ ପ୍ରକାଶିତ ହୋଇଥିଲା। ଉକ୍ତ ଗେଜେଟ୍  ବିଜ୍ଞପ୍ତିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନାଲିବତୀ ଲଗାଇବା ନେଇ କୌଣସି ନିର୍ଦ୍ଦେଶନାମା ରହି ନଥିବା ବେଳେ ନବରଙ୍ଗପୁର ବିଧାୟକ ରନ୍ଧାରୀ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ନିଜ ଗାଡ଼ିରେ ନାଲିବତୀ ଲଗାଇ ଜିଲ୍ଲା ତଥା ଜିଲ୍ଲା ବାହାରେ ବୁଲୁଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ବିଜେପି ନଗର ସଭାପତି ସୁବ୍ରତ ମିଶ୍ର କହିଛନ୍ତି, “ବିଧାୟକ ବେଆଇନ କାର୍ଯ୍ୟରୁ ନିବୃତ ରୁହନ୍ତୁ  ଓ ନାଲିବତୀ ଗାଡ଼ି ଧରି  ବୁଲିବା ତାଙ୍କର ଅଧିକାର ପରିସରଭୁକ୍ତ ନୁହେଁ ବୋଲି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଥିଲେ। ଏହି କଥା ମଧ୍ୟ ଗଣମାଧ୍ୟମରେ   ପ୍ରକାଶ ପାଇଥିଲା। ବିଧାୟକ ଏହି କଥାକୁ ଭୃକ୍ଷେପ ନ କରି  “ଆଇନ ମୋ ପାଖରେ ଅଛି, ଓଡ଼ିଶା ସରକାର ମୋତେ ଏହି ଗାଡ଼ି ଦେଇଛନ୍ତି” ବୋଲି କହୁଛନ୍ତି। ସେହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ଆମେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦେଇଛୁ। ନବରଙ୍ଗପୁର ଆଇଆଇସି ଏହି ଘଟଣାର ତଦନ୍ତ  କରିବେ।

ନବରଙ୍ଗପୁର ଥାନା ଆଇଆଇସି ରମେଶ ବିଶୋୟୀ କହିଛନ୍ତି, “ଆଜି  ନବରଙ୍ଗପୁର ଜିଲ୍ଲା  ବିଜେପିର କର୍ମକର୍ତ୍ତାମାନେ  ସ୍ଥାନୀୟ ବିଧାୟକ  ମନୋହର ରନ୍ଧାରୀ  ତାଙ୍କ ଗାଡ଼ିରେ ନାଲିବତୀ ଲଗାଇ ବୁଲୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯିବ। ତା’ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ”