ପ୍ରଧାନମନ୍ତ୍ରୀଙ୍କଠାରୁ ଜାତୀୟ ସାହାସିକତା ପୁରସ୍କାର ଗ୍ରହଣ କଲେ ଅବିନାଶ

abhinashଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଧୀରପୁର ଗାଁର ରବୀନ୍ଦ୍ର ମିଶ୍ର ଓ ମଂଜୁଲତା ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର ରବିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୨୦୧୫ ବର୍ଷ ପାଇଁ ଜାତୀୟ ସାହାସିକତା ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କ ସମେତ ଆଜି ୨୫ ଜଣଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲ।

୨୦୧୫ ଏପ୍ରିଲ୍ ୪ ତାରିଖରେ ଧୀରପୁର ଗାଁର ଦୁଇ ଜଣ ଛାତ୍ର କୁଶଭଦ୍ରା ନଦୀରେ ଦୁଇ ଜଣ ଛାତ୍ର ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଅବିନାଶ ପିଲା ଦୁଇଟିକୁ ନଦୀରୁ ଉଦ୍ଧାର କରି ଥିଲେ। ୧୭ ବର୍ଷ ବୟସରେ ଏଭଳି ସାହାସିକତା ପାଇଁ ତାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି।

ଅବିନାଶଙ୍କୁ ସାହାସିକତା ପୁରସ୍କାର ଦିଆଯାଇଥିବାକୁ ଖୁସି ପ୍ରକଟ କରିଛନ୍ତି ସେଦିନ ତାଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବିଧୂଭୂଷଣ ମିଶ୍ର। ସେ କହିଛନ୍ତି,‘ ଗତ ବର୍ଷ ଏପ୍ରିଲ୍ ୪ ତାରିଖରେ ଆମେ ଚାରି ଜଣ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲୁ। ଗାଧୋଇବା ବେଳେ ମୋ ଗୋଡ଼ ଖସି ଯାଇଥିଲା। ମୁଁ ଖାଲ ଭିତରକୁ ପଶି ଯାଇଥିଲି। ମୋତେ ପହଁରା ଆସେ ନାହିଁ। ମୁଁ ବୁଡ଼ି ଯାଉଥିବା ଦେଖି ମୋ ସାଙ୍ଗରେ ଯାଇଥିବା ସତ୍ୟନାରାୟଣ ମିଶ୍ର ନଦୀକୁ ଡେଇଁଥିଲେ। କିନ୍ତୁ ମୋ ସହିତ ସେ ବି ବୁଡ଼ିବାକୁ ଆରମ୍ଭ କରିଥିଲେ। ଏତିକି ବେଳେ ସେଠାରେ ପହଞ୍ଚିଲେ ଅବିନାଶ ଭାଇ। ସେ ଆମ ଦୁହିଁଙ୍କୁ ରକ୍ଷା କରି ଥିଲେ। ମୁଁ ତାଙ୍କ ପାଖରେ ସବୁ ଦିନ ଋଣି। ସେ ପୁରସ୍କୃତ ହୋଇଥିବାରୁ ମୁଁ ବହୁତ ଖୁସି।’

ଅବିନାଶଙ୍କ ପରିବାର ଲୋକେ ମଧ୍ୟ ଖୁସି ପ୍ରକଟ କରିଛନ୍ତି। ଅବିନାଶ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ତାଙ୍କ ମା’ ମଂଜୁଲତା ମିଶ୍ର କହିଛନ୍ତି।

୬ରୁ ୧୭ ବର୍ଷର ପିଲାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଥାଏ। ଇଣ୍ଡିଆନ୍ କାଉନସିଲ୍ ଫର୍ ଚିଲଡ୍ରେନ୍ ୱେଲଫେୟାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୭ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।