ଶ୍ୱଶୁର ଘରକୁ ଯାଉଥିଲେ ଯବାନ, ଅପହରଣ କରି ମାରି ଦେଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଣ୍ଡୁମ ଗାଁରେ।

ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ। ହେଲେ ବାଟରେ ତାଙ୍କୁ ନକ୍ସଲ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଥିଲା। ନକ୍ସଲ ମାନେ ତାଙ୍କୁ ଆଜି ହତ୍ୟା କରିଛନ୍ତି। ସେମାନେ ମୃତ ଶରୀରକୁ କେଶକୁତୁଲ ଗାଁ ନିକଟରେ ଛାଡ଼ି ପଳାଇଥିଲେ।

ସେହିପରି ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଲଙ୍କାକାଣ୍ଡ ଭିଆଇଛନ୍ତି। ମୁରଲୀଗୁଡ଼ା ନିକଟରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡ଼ିକୁ ନକ୍ସଲ ଜାଳି ଦେଇଛନ୍ତି। ସେମାନେ ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜାଲି ଦେଇଛନ୍ତି।

ନକ୍ସଲମାନେ ଗାଡ଼ି ପୋଡ଼ିବା ସହିତ ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ସୂଚନାଯୋଗ୍ୟ, ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଥିଲେ। ଏହାବ୍ୟତୀତ ଏକ କେଟ୍‌ଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଥିଲା। ଏହି ଗାଁଟି ଛତିଶଗଡ଼ ସୀମାନ୍ତରେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।