ବିପୁଳ କଳାଧନର ଅଧିକାରୀ ହେଉଛନ୍ତି ମାଓବାଦୀ: SIT ବୈଠକରେ ଉଦ୍‌ବେଗ

କଟକ(ଓଡ଼ିଶା ରିପୋର୍ଟର): କଟକରେ କଳାଧନ ସମ୍ପର୍କିତ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ (SIT) ବୈଠକ ଶେଷ ହୋଇଛି। ଏଥିରେ SIT ର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମାଓବାଦୀଙ୍କଠାରୁ ବିପୁଳ କଳାଟଙ୍କା ଜବତ ଉପରେ ଆଲୋଚନା ହୋଇଥିଲା।

SIT ର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି-“ମାଲକାନଗିରି ପରି ମାଓ ପ୍ରବଣ ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଚାଲାଣ ବେଳେ ଜବତ କରାଯାଇଛି। ଏହାଛଡ଼ା ମାଓ ନେତାଙ୍କଠାରୁ ବହୁ ସମ୍ପତ୍ତି ଜବତ କରାଯାଇଛି। ଏଥିରୁ ଜଣାପଡ଼ୁଛି ମାଓବାଦୀମାନେ କଳା ଧନକୁ ବ୍ୟବହାର କରି ସେମାନଙ୍କ ଅପରାଧୀକ କାର୍ଯ୍ୟ ବଢ଼ାଉଛନ୍ତି। ଏହା ଦେଶର ପ୍ରଥମ ଘଟଣା। ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣିରୁ କେତେ ଟଙ୍କା ଆଦାୟ କରାଯାଇଛି, ଆଉ କେତେ ଟଙ୍କା ଆଦାୟ କରାଯିବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।”

ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି.ପି. ଦାସ, ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ୟୋଗେଶ ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ସିବିଆଇ ଏସ୍‌ପି ପ୍ରମୋଦ ମାଂଝି ଓ ଖଣି ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ସାମିଲ ହୋଇଥିଲେ।