ନୟାଗଡ଼ ଚିନିକଳ ବିବାଦ: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚିନିକଳ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ଆଇନ ଅମାନ୍ୟ ଆନ୍ଦୋଳନ

ନୟାଗଡ଼: ବକେୟା ପ୍ରାପ୍ୟ ଦାବି ଓ ଚିନିକଳ ଖୋଲିବା ଦାବିରେ ନୟାଗଡ଼ ଚିନିକଳ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି।  ଚିନିକଳ ଚାଷୀ, କର୍ମଚାରୀ, ଆଖୁ ଚାଷୀ ମହାସଂଘ ଓ କୃଷକ ସଂଘ ମିଳିତ ଭାବେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ଫଳରେ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯାଇପାରିନାହାନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

ମାର୍ଚ୍ଚ ୪ ତାରିଖ ଠାରୁ ବିଭିନ୍ନ ସମସ୍ୟା ନେଇ ନୟାଗଡ଼ ଚିନିକଳକୁ କର୍ତ୍ତୃପକ୍ଷ ଲକ୍ ଆଉଟ ଘୋଷଣା କରିବା ପରଠାରୁ ଚାଷୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏ ନେଇ ଚିନିକଳ କର୍ମଚାରୀ ଓ ଚାଷୀ ମାନଙ୍କ ଅନଶନ ଅଗଷ୍ଟ ୧୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜାରି ରହିଛି। ଏ ମଧ୍ୟରେ ସରକାର, ପ୍ରଶାସନ ସ୍ତରରେ ବିଭିନ୍ନ ସମୟରେ ଚାଷୀ, ଚିନିକଳ କର୍ତ୍ତୃପକ୍ଷ ପ୍ରତିନିଧିମାନଙ୍କର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରି ତାଲାବନ୍ଦ ଆନ୍ଦୋଳନ କରାଯାଇ ଆଇନ ଅମାନ୍ୟ ଆନ୍ଦୋଳନ କରଯାଇଛି।