ସେ ହେଲେ ରତ୍ନସିଂହାସନରେ ଚଢ଼ିପାରୁଥିବା ଏକମାତ୍ର ବିଦେଶୀ ରାଜା, କିଏ ଓ କାହିଁକି ଜାଣନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ବିଦେଶୀ ରାଜା ଭାବେ ଶ୍ରୀମନ୍ଦିରର ସର୍ବୋଚ୍ଚ ଅଧିକାର ପାଇଥିବା ରାଜା ହେଉଛନ୍ତି ନେପାଳ ନରେଶ। ଭାରତ ଭୁଖଣ୍ଡରେ ଥିବା ଅନେକ ରାଜ୍ୟ ଓ କରଦ ରାଜ୍ୟଗୁଡିକର ରାଜାମାନେ ଯେଉଁ ଅଧିକାର ପାଇନାହାଁନ୍ତି, ସେ ଅଧିକାର ରହିଛି ନେପାଳ ରାଜାଙ୍କର । ଏପରିକି ଜଗନ୍ନାଥଙ୍କ ସର୍ବୋଚ୍ଚ ସେବା ଅଧିକାରୀ ଭାବେ ଗୃହୀତ ଗଜପତି ମହାରାଜଙ୍କୁ ଯେଉଁ ଅଧିକାର ମିଳିନାହିଁ ସେଭଳି ବିରଳ ଅଧିକାର ପାଇଛନ୍ତି ନେପାଳ ନରପତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନେପାଳ ରାଜା ହେଉଛନ୍ତି ଏକମାତ୍ର ବିଦେଶୀ, ଯାହାଙ୍କର ଶ୍ରୀମନ୍ଦିର ପ୍ରବେଶର ଅଧିକାର ରହିଛି। ଖାଲି ଶ୍ରୀମନ୍ଦିର ନୁହେଁ ରତ୍ନସିଂହାସନରେ ଚଢି ଶ୍ରୀବିଗ୍ରହମାନଙ୍କ ଅଙ୍ଗସ୍ପର୍ଶ କରି ସେବା କରିବାର ଅଧିକାର ମଧ୍ୟ ତାଙ୍କର ଅଛି। ନିଜ ପତ୍ନୀଙ୍କ ସହ ସେ ସେବାର ଅଧିକାର ପାଇଛନ୍ତି। ଯାହା ଭାରତୀୟ ରାଜାମାନଙ୍କ ପାଇଁ ବିରଳ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଗଜପତି ମହାରାଜ ମଧ୍ୟ ରତ୍ନସିଂହାସନ ଆରୋହଣ କରିବାର ଅଧିକାର ପାଇ ନାହାନ୍ତି।

ଶ୍ରୀମନ୍ଦିର ସତ୍ୱଲିପି ମୁତାବକ, ନେପାଳ ରାଜାଙ୍କର ଶ୍ରୀମନ୍ଦିର ପ୍ରବେଶ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ସେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥାନ୍ତି। ଏହି ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଶୋଧ(ଧୂଆ ଯାଇଥାଏ) କରାଯାଇଥାଏ ଓ କେତେକ ନିର୍ଦ୍ଦିଷ୍ଟ ସେବାୟତ ଓ ନେପାଳ ରାଜାଙ୍କ କୌଳିକ ପଣ୍ଡା ବା ଲାଲମୋହରିଆ ପଣ୍ଡାଙ୍କ ବ୍ୟତିତ ଅନ୍ୟ କେହି ମନ୍ଦିରରେ ରୁହନ୍ତି ନାହିଁ । ଏହି ସମୟରେ ଦକ୍ଷିଣ ଦ୍ୱାର ବ୍ୟତୀତ ସମସ୍ତ ଦ୍ୱାର ବନ୍ଦ ରହିଥାଏ। ଗଜପତି ମହାରାଜ ଇଚ୍ଛା କଲେ ନେପାଳ ରାଜାଙ୍କ ସହ ଉପସ୍ଥିତ ରହିପାରନ୍ତି। ରତ୍ନସିଂହାସନ ଆରୋହଣ ପୂର୍ବକ ନେପାଳ ରାଜା ମହାପ୍ରଭୁଙ୍କ ସ୍ୱହସ୍ତରେ ଭେଟି ଦେବା ସହ କର୍ପୁର ଆଳତୀ ଓ ବନ୍ଦାପନା କରିପାରିବେ ବୋଲି ସତ୍ୱଲିପିରେ ଉଲ୍ଲେଖ ରହିଛି।

କାହିଁକି ମିଳିଛି ଏହି ଅଧିକାର?

ପାଠକମାନଙ୍କ ମନରେ ନିଶ୍ଚିତ ଏ ପ୍ରଶ୍ନ ଉଠୁଥିବ ଯେ, ଜଣେ ଅନ୍ୟ ଦେଶର ରାଜାଙ୍କୁ ଏଭଳି ବିରଳ ଅଧିକାର କାହିଁକି ପ୍ରାପ୍ତ ହୋଇଛି। ଗବେଷକମାନେ ଏ ନେଇ ଭିନ୍ନଭିନ୍ନ ମତ ଦେଇଥାନ୍ତି। ୯ମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟଙ୍କ ଉତ୍କଳ ଆଗମନ ବେଳେ ଯବନ ଆକ୍ରମଣ ଯୋଗୁ ଠାକୁରମାନଙ୍କ ଶ୍ରୀବିଗ୍ରହ ସୋନପୁରରେ ପାତାଳି ହୋଇଥିଲେ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଠାକୁରମାନଙ୍କ ଜୀର୍ଣ୍ଣୋଦ୍ଧାର କରାଯାଇ ଶୂନ୍ୟ ଶ୍ରୀମନ୍ଦିରରେ ଠାକୁରଙ୍କ ପୁନଃ ପ୍ରତିଷ୍ଠା ବ୍ୟବସ୍ଥା ହୋଇଥିଲା। ଏହି ସମୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନେପାଳର ଗଣ୍ଡୁକୀ ନଦୀ ପାର୍ଶ୍ୱରୁ ୧ ଲକ୍ଷ ଜୀବନ୍ତ ଶାଳଗ୍ରାମ ବା ବିଷ୍ଣୁଶୀଳା ତତ୍କାଳୀନ ରାଜା ଉତ୍କଳ ଶାସକଙ୍କୁ ପ୍ରଦାନ କରିଥିଲେ। ଇତିହାସରେ ଏହା ପ୍ରଥମ ନବକଳେବର ଭାବେ ଗୃହୀତ ହୋଇଥିବା ବେଳେ ନେପାଳ ରାଜାଙ୍କ ଏହି କୃତି ଲାଗି ତାଙ୍କୁ ଏଭଳି ଅଧିକାର ମିଳିଥିବା କୁହାଯାଉଛି। ସମ୍ଭବତଃ ସେହି ସମୟରୁ ବିଗ୍ରହ ନିର୍ମାଣରେ କସ୍ତୁରୀ ବ୍ୟବହାରର ଅୟମାରମ୍ଭ ହୋଇଥିଲା।

ସେହିପରି ଅନ୍ୟଏକ ଗବେଷଣାର ସିଦ୍ଧାନ୍ତ ମୁତାବକ, ନେପାଳରେ ପୂର୍ବରୁ ବୌଦ୍ଧମାନଙ୍କ ପ୍ରାଧାନ୍ୟ ରହିଥିଲା। ଏଠାରେ ପୂଜିତ ବୌଦ୍ଧମୂର୍ତ୍ତିଙ୍କ ନିକଟରେ ପୂଜା ପାଉଥିବା ବୁଦ୍ଧଦେବଙ୍କ କିଛି ଅବଶେଷ ପ୍ରକାରାନ୍ତରେ ଉତ୍କଳରେ ଆସି ପହଞ୍ଚିଥିଲା। ସେ ସମୟରେ ଓଡିଶାର ରାଜାମାନେ ବୌଦ୍ଧ ଧର୍ମରେ ଦୀକ୍ଷିତ ଥିବାରୁ ସମ୍ଭବତଃ ସେମାନେ ଏହାକୁ ଜଗନ୍ନାଥଙ୍କ ବିଗ୍ରହ ମଧ୍ୟରେ ରଖି ପୂଜା କରିଥାଇ ପାରନ୍ତି। ପରବର୍ତ୍ତୀ ସମୟରେ ନେପାଳ ଶାସକ ଏହାକୁ ନେବାକୁ ଆଗ୍ରହ ଦେଖାଇଥିଲେ ମଧ୍ୟ ଏହାକୁ ତାଙ୍କୁ ହସ୍ତାନ୍ତର କରା ନ ଯାଇ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ କିଛି ସେବାର ଅଧିକାର ଦିଆଯାଇଛି। ଯାହାର ଫଳ ସ୍ୱରୂପ ଆଜି ପର୍ଯ୍ୟନ୍ତ ନେପାଳ ରାଜା  ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅଧିକାର ପାଉଛନ୍ତି ବୋଲି କେତେକ ଗବେଷକ ମତ ଦିଅନ୍ତି।

ସୌଜନ୍ୟ- ଉତ୍କଳ ପ୍ରସଙ୍ଗ, ଶ୍ରୀମନ୍ଦିର ୨୦୦୩, The Adi Buddha by Kanailal Hazara, Buddhist Hindu shrines of Nepal, govt. of Nepal

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More