୬ମାସ ସୁଦ୍ଧା ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ଚାଲିବ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ମାସ ମଧ୍ୟରେ ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଓ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ଓ ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ […]

ef

ef

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ମାସ ମଧ୍ୟରେ ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଓ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି।

ଆଜି ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ଓ ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ କରିବା ପାଇଁ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୧୪ଟି ବିମାନ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦେଶବିଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଣ କରାଇବାକୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଦେଇଛନ୍ତି।

ଏଥିରେ କୋଲକାତା-ଝାରସୁଗୁଡ଼ା, ଭୁବନେଶ୍ୱର-ବାରାଣାସୀ,ଝାରସୁଗୁଡ଼ା-ମୁମ୍ବାଇ,ବାରାଣାସୀ-ଭୁବନେଶ୍ୱର, ପ୍ରୟାଗରାଜ-ଭୁବନେଶ୍ୱର, ଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-କଲକିମୁଣ୍ଡା, ଭୁବନେଶ୍ୱର-ବ୍ୟାଙ୍କକ, ବ୍ୟାଙ୍କକ୍‌-ଭୁବନେଶ୍ୱର, ସଙ୍ଗାପୁର-ଭୁବନେଶ୍ୱର, ଭୁବନେଶ୍ୱର-ଆବୁଧାବି ମାର୍ଗରେ ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସମ୍ମତି ଜଣାଇଛନ୍ତି। ଏସବୁ ବିମାନ ଚଳିତ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ଚଳାଚଳ ଆରମ୍ଭ କରିବ।

ଓଡ଼ିଶାରେ ବେସାମରିକ ବିମାନ ଚଳାଚଳର ସମ୍ଭାବନା ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ,ଦେଶର ବିଭିନ୍ନ ସ୍ଥାନରେ ଆଇଟି ପ୍ରଫେସନାଲମାନେ ରହୁଛନ୍ତି। ପର୍ଯ୍ୟଟନର ବିକାଶ ସହ ବିଭିନ୍ନ ଆର୍ଥିକ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ହେଉଛି। ତେଣୁ ଏହା ବିମାନ ଚଳାଚଳ କ୍ଷେତ୍ର ପାଇଁ ସହାୟକ ହେବ। ଓଡ଼ିଶାରୁ ନୂଆ ଘରୋଇ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ବିଶେଷକରି ପୁଣେ, ଯାଜପୁର, ଚେନ୍ନାଇ, ବିଶାଖାପାଟଣା, କୋଚି ଓ ରାଞ୍ଚିକୁ ଓଡ଼ିଶାରୁ ବିମାନ ସଂଯୋଗ ନିମନ୍ତେ ସେ ଦାବି ଜଣାଇଛନ୍ତି। ସେହିପରି ଦୁବାଇ, ଆବୁଧାବି, ସିଙ୍ଗାପୁର, ହଂକଂ,ବ୍ୟାଙ୍କକ୍ ଓ କଲମ୍ବୋ ଭଳି ସମ୍ଭାବ୍ୟ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ କରିବା ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ କରିଲେ ତେଲ ଉପରେ ସମ୍ପୂର୍ଣ୍ଣ ଭ୍ୟାଟ୍ ଛାଡ଼ ସମେତ ମାଗଣା ଭିତ୍ତିଭୂମି ସୁବିଧା ରାଜ୍ୟ ସରକାର ଯୋଗାଇ ଦେବେ। ଏପରିକି ଘରୋଇ ବିମାନ ଚଳାଚଳ କଲେ ଇନ୍ଧନ ଉପରେ ମାତ୍ର ୧ ପ୍ରତିଶତ ଭ୍ୟାଟ୍ ଦେବାକୁ ପଡ଼ିବ।

ଏହି ବୈଠକରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ପିଏସ୍ ଖରୋଲା,ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ମୋଟ ୧୫ଟି ଏୟାରଲାଇନ୍ସର ପ୍ରତିନିଧି ଓ ୫ଜଣ ସିଇଓ ସାମିଲ ହୋଇଥିଲେ। ଆଜିର ବୈଠକରେ ସାମିଲ ହୋଇଥିବା ଏୟାରଲାଇନ୍ସଗୁଡ଼ିକ ମଧ୍ୟରେ ଏତିହାଦ, ମାଲିଣ୍ଡୋ ଏୟାର, ଥାଇ ସ୍ମାଇଲ, ସିଙ୍ଗାପୁର ଏୟାରଲାଇନ୍ସ, ଏୟାର ଏସିଆ, ମାଲଦିଭିଆନ ଏୟାରଲାଇନ୍ସ, ସ୍କଟ୍ , ତାଇ ଏୟାରୱେଜ୍ , ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାରଲାଇନ୍ସ ଏୟାର, ଷ୍ଟାର ଏୟାର, ଗୋ ଏୟାର, ସ୍ପାଇସ୍ ଜେଟ୍ ଓ ଭିସାରା ଆଦି ଏୟାରଲାଇନ୍ସର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos