ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜିପିଏଫ୍‌ ଉଠାଣ ନିୟମ କୋହଳ, କଣ ମିଳିବ ଫାଇଦା ପଢ଼ନ୍ତୁ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭବିଷ୍ୟନିଧି ପାଣ୍ଠି(ଜିପିଏଫ୍‌)ରୁ କର୍ମଚାରୀମାନେ ଟଙ୍କା ଉଠାଣ ପାଇଁ ରହିଥିବା ନିୟମାବଳୀର ସରଳୀକରଣ କରାଯାଇଛି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅନୁମୋଦନ ପରେ ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଫଳରେ କର୍ମଚାରମାନଙ୍କୁ ଭବିଷ୍ୟନିଧି ପାଣ୍ଠିରୁ ଅର୍ଥ ଉଠାଣ ଅଧିକ ସହଜ ଓ ସରଳ ହୋଇଯିବ।

ଏଣିକି କର୍ମଚାରୀମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଯଥା ପ୍ରାଥମିକ, ମାଧ୍ୟମିକ ତଥା ଉଚ୍ଚଶିକ୍ଷା ବ୍ୟୟ, ପୁଅ-ଝିଅଙ୍କ ନିର୍ବନ୍ଧ, ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ ଉଦ୍ଦିଷ୍ଟ ଅର୍ଥ ଚାକିରିର ୧୦ ବର୍ଷ ପୂରଣ ପରେ ଉଠାଇ ପାରିବେ। ଏହି ବାବଦରେ ଜଣେ କର୍ମଚାରୀ ତାଙ୍କର ୧୨ ମାସର ଦରମା ଅଥବା ତାଙ୍କ ଭବିଷ୍ୟନିଧି ପାଣ୍ଠିରେ ରହିଥିବା ଜମା ରାଶିର ୩ ଚତୁର୍ଥାଂଶରୁ ଯେଉଁଟା କମ୍‌ ସେହି ପରିମାଣର ଅର୍ଥ ଉଠାଇ ପାରିବେ। ଅସୁସ୍ଥତା କାରଣରୁ ଜମାଥିବା ରାଶିର ୯୦% ଉଠାଣ କରାଯାଇ ପାରିବେ। ପୂର୍ବରୁ ଚାକିରି କରିବାର ୨୦ ବର୍ଷ ପରେ ଏହି ଉଠାଣ ସମ୍ଭବ ହୋଇପାରୁଥିଲା।

ଗୃହ ନିର୍ମାଣ, ନୂତନ ଗୃହ କ୍ରୟ, ପୁରୁଣା ଗୃହ ଋଣ ପରିଶୋଧ, ଗୃହ ନିର୍ମାଣ ପାଇଁ ଜମି କିଣିବା, କିଣିଥିବା ଜାଗାରେ ଗୃହ ନିର୍ମାଣ, ରହିଥିବା ଘରର ଅଧିକ ଉନ୍ନତି, କିମ୍ୱା ପୁନଃନିର୍ମାଣ କିମ୍ୱା ପୈତୃକ ବାସ ଗୃହର ଉନ୍ନତିକରଣ କିମ୍ୱା ସଂଯୋଗୀକରଣ ନିମନ୍ତେ ଜଣେ କର୍ମଚାରୀ ତାଙ୍କ ଭବିଷ୍ୟନିଧି ପାଣ୍ଠିରେ ଥିବା ଜମା ରାଶିର ୯୦% ଉଠାଇ ପାରିବେ। ପୂର୍ବ ନିୟମାବଳୀ ଅନୁସାରେ ଜଣେ ଜମାକାରୀ ୧୨ ମାସର ଦରମା କିମ୍ୱା ସମୁଦାୟ ଜମା ରାଶିର ୫୦%ରୁ ଯେଉଁଟା କମ୍‌ ସେହିପରିମାଣର ଅର୍ଥ ଉଠାଣ ବ୍ୟବସ୍ଥା ଥିବା ବେଳେ ଏବେ ସଂଶୋଧିତ ବ୍ୟବସ୍ଥାରେ ତାହାର ପରିବର୍ତ୍ତିତ ହୋଇଛି। ୧୦ ବର୍ଷ ଚାକିରି ପୂରଣ କରିଥିଲେ ଜଣେ ଜମାକାରୀ ଉପରୋକ୍ତ ସୁବିଧା ପାଇପାରିବେ।

ଏହାବ୍ୟତୀତ ଜଣେ କର୍ମଚାରୀ ଅବସର ନେବାର ଦୁଇ ବର୍ଷ ପୂର୍ବରୁ କୌଣସି କାରଣ ନ ଦର୍ଶାଇ ତାଙ୍କ ଭବିଷ୍ୟନିଧି ପାଣ୍ଠିରୁ ୯୦% ଅର୍ଥ ଉଠାଣ କରିପାରିବେ। ଉଠାଣ ନିମନ୍ତେ ଜମାକାରୀଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବନି। ଏନେଇ ସଂଶୋଧିତ ନିୟମାବଳୀରେ ବ୍ୟବସ୍ଥା ରହିଛି। ଅବେଦନ ସମୟରେ କେବଳ ଉଠାଣର କାରଣ ଦର୍ଶାଇ ସ୍ୱ-ଘୋଷଣା ପତ୍ର ପ୍ରଦାନ କରିବେ। ବିଭାଗୀୟ ମୁଖ୍ୟ ଉଠାଣ ଆବେଦନ ମଞ୍ଜୁର କରିବା ପାଇଁ କ୍ଷମତାପନ୍ନ ରହିବେ।

ଭବିଷ୍ୟନିଧି ପାଣ୍ଠିରୁ ଉଠାଣ ପାଇଁ ଆବଦନର ମଞ୍ଜୁରୀ ତଥା ଅର୍ଥ ପ୍ରଦାନ ନିମନ୍ତେ ସମୟ ସୀମା ଆଗରୁ ନିର୍ଦ୍ଧାରିତ ହୋଇନଥିବା ବେଳେ ଏବେ ନୂଆ ବ୍ୟବସ୍ଥାରେ ଅତିବେଶୀରେ ୩୦ ଦିନ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ। ଅସୁସ୍ଥତା ପରି ଆପାତକାଳୀନ କ୍ଷେତ୍ରରେ ୧୦ ଦିନରେ ଟଙ୍କା ଉଠାଇପାରିବ।