ରାଜ୍ୟରେ ବ୍ରାଣ୍ଡ ନବୀନଙ୍କୁ ଟକ୍କର ଦେବାକୁ ବିଜେପି ଖେଳିଛି ନୂଆ ଚାଲ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେନ୍ଦ୍ରୀୟ ଯୋଜନା ହଡ଼ପ ଆଶଙ୍କାରେ ଗାଁ ଗାଁରେ ବୁଲି ପ୍ରମୁଖ ଯୋଜନାରେ ମାରୁଛି ମୋଦି ବ୍ରାଣ୍ଡ ଷ୍ଟିକର। ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୩୬ ହଜାର ବୁଥ୍‌କୁ ନେବାକୁ ଦଳ ଯୋଜନା କରିଛି। ତେବେ ବିଜେପିର ଏ ପ୍ରୟାସର ସମାଲୋଚନା କରିଛି ଉଭୟ ବିଜେଡି ଓ କଂଗ୍ରେସ।

ଘରେ ମୋଦି, ଶୌଚାଳୟରେ ମୋଦି, ରୋଷେଇ ଘରେ ବି ମୋଦି ଷ୍ଟିକର ଲାଗୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ସ୍ୱଚ୍ଛ ଭାରତ ଅବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା। ରାଜ୍ୟରେ ଚାଲିଥିବା ପ୍ରତିଟି କେନ୍ଦ୍ରୀୟ ଯୋଜନାରେ ମୋଦି ବ୍ରାଣ୍ଡ ଲଗାଇ ନବୀନ ବ୍ରାଣ୍ଡକୁ ଫିକା କରିବା ଲକ୍ଷ୍ୟରେ ଗତ ୧୦ ତାରିଖରେ ସମ୍ବଲପୁରରୁ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେଇ ଧାରାକୁ ସମ୍ବଲପୁରରେ ଆଜି ଆଗକୁ ନେଇଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ। ଘରକୁ ଘର ବୁଲି ମୋଦି ବ୍ରାଣ୍ଡର ଷ୍ଟିକର ଲଗାଇବା ସହ ଲୋକଙ୍କୁ ଶୁଣାଉଛନ୍ତି ମୋଦି ସରକାରଙ୍କ ୪ ବର୍ଷର ସଫଳତା ଗାଥା।

ଆଗରୁ ଟଙ୍କିକିଆ ଚାଉଳ ମୋଦିଙ୍କର କହି ନବୀନ ବ୍ରାଣ୍ଡକୁ ଫ୍ୟୁଜ୍ କରିବାର ଉଦ୍ୟମ କରିଥିଲା ବିଜେପି  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ଭୁବନେଶ୍ୱର ଆସି ଟଙ୍କିକିଆ ଚାଉଳରୁ କେନ୍ଦ୍ର ଭାଗ ଓ ରାଜ୍ୟ ଭାଗର ହିସାବ ଥୋଇଥିଲେ। ହେଲେ ଏବେ ପାଦେ ଆଗକୁ ବଢ଼ି ଘରେ ଘରେ ପ୍ରତି ଯୋଜନାରେ ଏମିତି ମୋଦି ଷ୍ଟିକର ମାରୁଛି ବିଜେପି । ଟାର୍ଗେଟ୍ ରହିଛି ରାଜ୍ୟର ପ୍ରତି ବୁଥ୍‌ରେ ଅନ୍ତତଃ ୧୫ ଜଣ ହିତାଧିକାରୀଙ୍କୁ ଭେଟି ମୋଦି ବ୍ରାଣ୍ଡର ପ୍ରଚାର କରିବା।