ନୂଆ ଷ୍ଟ୍ରେନ୍ ଭୂତାଣୁ: ଆପଣଙ୍କ ମୁଣ୍ଡ ବିନ୍ଧା, ପତଳା ଝାଡ଼ା ଓ ଦେହ କୁଣ୍ଡାଇ ହେଉଛି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡର ବଢାଉଛି କରୋନାର ନୂଆ ଷ୍ଟ୍ରେନ୍। ନୂଆ ରୂପରେ ଅଧିକ ସଂକ୍ରାମକ ହେଉଛି କୋଭିଡ୍ ଭୂତାଣୁ । ଏହାକୁ ଦୃଷ୍ଟିରେ ରଖି କରୋନାର ନୂଆ ଲକ୍ଷଣ ନେଇ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଦେଶର ବିଭିନ୍ନ ଭାଗରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁଜରାଟର ସୁରତ୍ ସମେତ ୪ଟି ସହରରେ ଫେରିଛି ନାଇଟ୍ କର୍ଫ୍ୟୁ ।

ନୂଆ ଷ୍ଟ୍ରେନ ସହ କରୋନା ସଂକ୍ରମଣ ବଢୁଥିବାରୁ ଲୋକଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ନୂଆ ଷ୍ଟ୍ରେନ୍ ଯୋଗୁଁ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ହେଲା- ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ପତଳା ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟିହେବା, ଚର୍ମରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ଲାଲ୍ କିମ୍ବା ନୀଳ ପଡ଼ିବା ଏବଂ ସାମାନ୍ୟ କାଶ ହେବା ସହ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା।  ବଡ଼ କଥା ହେଉଛି, ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରାମକ । ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି। ପୂର୍ବାପେକ୍ଷା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ବର୍ଷେ ଧରି ଲକଡାଉନ୍, ସଟଡାଉନରେ ରହି ସ୍ୱାଭାବିକ ଅବସ୍ଥାକୁ ଜନଜୀବନ ଫେରୁଥିବାବେଳେ ନୂଆ ଷ୍ଟ୍ରେନ ବଡ଼ ବିପଦ ଆଣି ଦେଇଛି । ପୂର୍ବଭଳି ଲକଡାଉନ, ସଟ୍‌ଡାଉନ ପରିସ୍ଥିତି ଯେପରି ନ ଆସିବ, ସେଥିଲାଗି ସମସ୍ତେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି। ସମସ୍ତଙ୍କୁ କୋଭିଡ୍ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏଣେ କରୋନା ସଂକ୍ରମଣ ବଢିବା ପରେ ଦେଶର ବିଭିନ୍ନ ସ୍ଥାନରେ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ। ମହାରାଷ୍ଟ୍ର ପରେ ଗୁଜରାଟ ଓ ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି ଏହି କଟକଣା। ଗୁଜରାଟର ଅହମ୍ମଦାବାଦ, ବଡ଼ୋଦରା, ସୁରତଏବଂ ରାଜକୋଟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ୍ କର୍ଫ୍ୟୁ। ମଧ୍ୟପ୍ରଦେଶର ଭୋପାଲ୍ ଏବଂ ଇନ୍ଦୋରରେ ମଧ୍ୟ କାଲିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ।

ସେପଟେ ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଦିଷ୍ଟ ରାଜ୍ୟରେ ବଢୁଥିବା ସଂକ୍ରମଣର ମୁକାବିଲା ସହ କରୋନା ଟିକା ଅଭିଯାନ ନେଇ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ।ଏଣେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧କୁ ବୃଦ୍ଧି ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।