ନବଜାତ ଶିଶୁକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲେ ପରିବାର ଲୋକେ!

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାଟି ଘଟଛି ମାଲକାନଗିରି ଜିଲ୍ଲା MPV-83 ଗାଁରେ।

ଜୁଲାଇ ୨ ତାରିଖରେ ଗାଁର ଶ୍ୟାମଳା ପାଇକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବାର କିଛିଦିନ ପରେ ପଡ଼ୋଶୀ ଲୋକେ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ। ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଶିଶୁଟିକୁ ତାର ପରିବାର ଲୋକ ହତ୍ୟା କରି ପାଖ ଜଙ୍ଗଲରେ ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଗତକାଲି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରିଥିଲେ।

ପିଲାଟିକୁ ତାର ବାପାମା’ ହତ୍ୟା କରିବା ପରେ ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ଶିଶୁଟିର ପରିବାର ଲୋକେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶିଶୁଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ଘଟିଥିଲା। ଶିଶୁଟିର ମୃତ୍ୟୁ ହୋଇଯିବାରୁ ତାକୁ ପୋତି ଦିଆଯାଇଥିବା ପରିବାର ଲୋକେ କହିଛନ୍ତି।

ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ପୁଲିସ ଘଟଣା ବିଷୟରେ ସୂଚନା ପାଇଥିବା ଜଣାଯାଇଛି। ଆଜି ପୁଲିସ ଗାଁକୁ ଯାଇ ମୃତ ଶିଶୁର ବାପାମା’ଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ପୁଲିସ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।