ଅଧିକ ଭୟାନକ କରୋନାର ନୂଆ ଷ୍ଟ୍ରେନ, ଜାଣନ୍ତୁ କ’ଣ ରହିଛି ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ କଡ଼ ଲେଉଟାଇଲାଣି କରୋନା। ଉପରମୁହାଁ ହେଲାଣି ଏହି ମହାମାରୀର ଗ୍ରାଫ୍‌। ଏଥର ନୂଆ ଷ୍ଟ୍ରେନ ସହ ମାରାତ୍ମକ ରୂପରେ ଆସୁଛି ଏହି ମହାମାରୀ। ନୂଆ ଷ୍ଟ୍ରେନ ଯୋଗୁଁ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ଏହାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଏଥିରୁ ରକ୍ଷା ପାଇବାକୁ ହେଲେ ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ବୋଲି ସୂଚାଇ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଲକ୍ଷଣ

ନୂଆ ଷ୍ଟ୍ରେନରେ ନୂଆ ଲକ୍ଷଣ ଦେଖାଯାଉଛି । ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ଦିନକୁ ୪ରୁ ୫ ଥର ତରଳ ଝାଡ଼ା ହେବା, ଗଳା ଦରଜ ଓ ନାକ ଚୁଣ୍ଟି ହେବା ଭଳି ଲକ୍ଷଣ ଦେଖାଦେଉଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରମକ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ  ସକ୍ରିୟ ରହିପାରୁଛି । ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଶରୀରରେ ପ୍ରବେଶ କରିପାରୁଛି ।

କ’ଣ କରିବେ?

ବର୍ଷେ ଧରି ଲକଡାଉନ, ଶଟଡାଉନ୍‌ରେ ରହି ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାବେଳେ ନୂଆ ଷ୍ଟ୍ରେନ ବଡ଼ ବିପଦ ଆଣି ଦେଇଛି । ଏଣୁ ପୂର୍ବଭଳି ଲକଡାଉନ, ଶଟଡାଉନ ପରିସ୍ଥିତି ଯେପରି ପୁଣି ଥରେ ସୃଷ୍ଟି ନ ହୁଏ, ସେଥିଲାଗି ସମସ୍ତେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି । ଏଥିରୁ ରକ୍ଷା ପାଇବା ଲାଗି ନିର୍ଦ୍ଧାରିତ ସାରଣୀରେ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ଏହାବ୍ୟତୀତ ଅତ୍ୟଧିକ ଗହଳି,  ଜନସମାଗମଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ହେବ । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ଯେପରି ଭଙ୍ଗ ନ ହୁଏ, ସେଥିପ୍ରତି କଡ଼ା ନଜର ଦେବାକୁ ପଡ଼ିବ। ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତି ୭ ଦିନ ପୃଥକବାସରେ ରହିବାକୁ ପରାମର୍ଶ ଦିଆଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ପଦକ୍ଷେପ

ବଢୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ମହାରାଷ୍ଟ୍ର, ତେଲାଙ୍ଗାନା ଓ ଆନ୍ଧ୍ରପ୍ରଦେଶ ହୋଇ ଓଡ଼ିଶା ଆସୁଥିବା ଟ୍ରେନର ଯାତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେସନରେ ସ୍କ୍ରିନିଂ କରାଯାଉଛି । ବିଶେଷ କରି ମୁମ୍ବାଇରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି  । ଯାହାର କିଛି ଲକ୍ଷଣ ବା ତାପମାତ୍ରା ଅଧିକ ଥିବ, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବାର ବ୍ୟବସ୍ଥା ହୋଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।