ନିଖୋଜ ଶିଶୁଙ୍କୁ ଖୋଜିବାକୁ ଆରମ୍ଭ ହେଲା ଅପରେସନ୍‌ ‘ମୁସ୍କାନ’

କଟକ: ନିଖୋଜ ଶିଶୁମାନଙ୍କୁ ଖୋଜିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି  ଅପରେସନ୍‌ ‘ମୁସ୍କାନ’। ଏହି  ଅଭିଯାନ ମାଧ୍ୟମରେ  ରାଜ୍ୟ ବାହାରକୁ ଯାଇ ନିଖୋଜ ହୋଇଥିବା ଓଡ଼ିଶାର ଶିଶୁମାନଙ୍କୁ ଖୋଜାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ, ଶ୍ରମ ଏବଂ ମହିଳା ଓ  ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ କରାଯାଇଛି। ଜୁଲାଇ ୨୫ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୫ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ରାଜ୍ୟରେ ନିଖୋଜ ହୋଇଥିବା ଶିଶୁମାନଙ୍କୁ ରାଜ୍ୟ ଭିତରେ ଖୋଜାଯିବ। ଅଗଷ୍ଟ ୧୦ରୁ ଆରମ୍ଭ ହୋଇ ୨୪ରେ ଶେଷ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ରାଜ୍ୟ ବାହାରେ ଶିଶୁମାନଙ୍କୁ  ଖୋଜାଯିବ। ଏଥିପାଇଁ ୧୦ଟି ସତନ୍ତ୍ର ଟିମ୍‌ ଗଠନ ହୋଇଛି। ଟିମ୍ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡଖଣ୍ଡ  ଆଦି ରାଜ୍ୟରେ  ନିଖୋଜ ଶିଶୁଙ୍କୁ ସନ୍ଧାନ କରିବ ବୋଲି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି  ସୂଚନା ଦେଇଛନ୍ତି।