ବିବାଦରେ ଫସିଲେ କଂଗ୍ରେସ କ୍ୟାପ୍‌ଟେନ୍‌: ସାହାଣ ମେଲା ବେଳେ ଗର୍ଭ ଗୃହକୁ ଯାଇ ଦର୍ଶନ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବିବାଦରେ ଫସିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବା ବେଳେ ଶ୍ରୀଲିଙ୍ଗରାଜଙ୍କୁ ଗର୍ଭ ଗୃହରେ ଦର୍ଶନ କରି ଅଡୁଆରେ ପଡ଼ିଛନ୍ତି ନିରଞ୍ଜନ। ଯାହାକୁ ନେଇ ଏବେ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ରଜ ସଂକ୍ରାନ୍ତି ଅବସରରେ ନିରଞ୍ଜନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ସାହାଣ ମେଲା ଦର୍ଶନ ବନ୍ଦ ଥିଲା। ଶ୍ରଦ୍ଧାଳୁମାନେ ଆଡ଼କାଠରୁ ଦର୍ଶନ କରୁଥିବାବେଳେ ନିରଞ୍ଜନଙ୍କୁ କିଛି ସେବାୟତ ଗର୍ଭଗୃହ ଭିତରକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ। ଏହାକୁ ଅନ୍ୟ କିଛି ସେବାୟତ ଭିଡିଓ ସୁଟିଂ କରି ଫେସ୍‌ବୁକ୍‌ରେ ଅପଲୋଡ୍ କରିବା ସହ ନିନ୍ଦା କରିଛନ୍ତି। ଏପଟେ ମନ୍ଦିର ପରିଚାଳନା କମିଟି ନିକଟରେ ଏନେଇ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ତଦନ୍ତ। କେଉଁ ସେବାୟତ ନିରଞ୍ଜନଙ୍କୁ ଗର୍ଭଗୃହକୁ ନେଲେ ଚିହ୍ନଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ଅଧିକାରୀ।

ସେହିପରି ବ୍ରାହ୍ମଣ ନିଯୋଗ ମଧ୍ୟ ଏହାକୁ ଘୋର ବିରୋଧ କରିବା ସହ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି। ତେବେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ମୁଁ ଜାଣିନି, ଲୋକ ଦର୍ଶନ କରୁଥିଲେ,ମୁଁ ବି ଦର୍ଶନ କଲି।”