୧୯ରେ କାହାକୁ ଟିକେଟ ଦେବ କଂଗ୍ରେସ: ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ନିରଞ୍ଜନ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆକ୍ସନ ମୁଡ୍‌ରେ ପିସିସି ସଭାପତି। ରାଜ୍ୟ କଂଗ୍ରେସରେ ମଙ୍ଗୁଆଳ ହେବା ପରେ ପୂରା ଫର୍ମରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।  ଶୋଇପଡ଼ିଥିବା କଂଗ୍ରେସକୁ ସକ୍ରିୟ କରିବା ପାଇଁ ସେ ଏକ୍‌ଦମ ଆକ୍ଟିଭ ହୋଇପଡ଼ିଛନ୍ତି। ଦୀର୍ଘ ୧୭ ବର୍ଷ ଧରି କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସକୁ ସତ୍ତାକୁ ଫେରେଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି ନିରଞ୍ଜନ। ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ଥିବା ବେଳେ ଏବେଠାରୁ କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି ରାଜ୍ୟ କଂଗ୍ରେସ।  ଏହାରି ଭିତରେ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ନିରଞ୍ଜନ ଦିଲ୍ଲୀ ଯାଇ କେତେକ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିଛନ୍ତି। ସେହିପରି ବାରମ୍ବାର ଦଳୀୟ ବିବାଦ ଓ ପଦପଦବୀକୁ ନେଇ ଉଠୁଥିବା ବିବାଦକୁ ମୁକାବିଲା କରିବା ପାଇଁ ଗୋଟିଏ ପରେ ଗୋଟିଏ ବାଣ ମାରି ଚାଲିଛନ୍ତି ନିରଞ୍ଜନ। କର୍ମୀ ଓ ନେତାଙ୍କୁ ଚ୍ୟାଲେଞ୍ଜ ଦେଇ ରୋକଠୋକ୍ ବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ଯାହାର ଦଳ ପାଇଁ କାମ କରିବାର ଇଚ୍ଛା ଅଛି ସେମାନେ ରୁହନ୍ତୁ ନଚେତ ଦଳ ଛାଡ଼ିପାରନ୍ତି। ଏଥିପାଇଁ ସେ ସୋସିସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି।

ନିକଟରେ ସେ ଆଉ ଏକ ଚର୍ଚ୍ଚିତ ପୋଷ୍ଟ କରିଛନ୍ତି। ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ଯେଉଁମାନେ ଭୁବନେଶ୍ୱରରେ ରହୁଛନ୍ତି ସେମାନେ ନେତା ହୋଇପାରିବେ ନାହିଁ। ବରଂ ଯେଉଁମାନେ ତୃଣମୂଳସ୍ତରରେ କାମ କରୁଥିବେ ଓ ଲୋକମାନଙ୍କ ସହ ଜଡ଼ିତ ଥିବେ ସେମାନେ  ଦଳର ପ୍ରାର୍ଥୀ ହେବେ।

ନିକଟରେ ଜିଲ୍ଲା ସଭାପତି ଚୟନ ପରେ ଚରମ ଅସନ୍ତୋଷ ପ୍ରକାଶ କରିଥିଲେ ବରିଷ୍ଠ ନେତା ସୁର ରାଉତରାୟ ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ପିସିସି ସଭାପତିଙ୍କ ୱାନ ମ୍ୟାନ୍‌ ୱାନ ପୋଷ୍ଟ ନୀତିକୁ ସୁର ତୀବ୍ର ସମାଲୋଚନା କରି ବିବାଦୀୟ ବୟାନ ଦେଇଥିଲେ। କହିଥିଲେ, “ୱାନ ମ୍ୟାନ୍‌ ୱାନ ପୋଷ୍ଟ ନୀତିକୁ ମୁଁ ମାନିବିନି। ମତେ ଯଦି ୨୦୧୯ରେ ଟିକେଟ ଦିଆ ନ ଯାଏ ତାହାଲେ ପରିସ୍ଥିତି ଭଲ ହେବନି।  ୨୦୧୯ ହେଉଛି ମୋ ପାଇଁ ଶେଷ ନିର୍ବାଚନ। ମୋତେ ସବୁ ଦଳ ଡାକୁଛନ୍ତି। ହେଲେ ମୁଁ କଂଗ୍ରେସ ଛାଡ଼ିବିନି।”

ଏହାର ଜବାବ ମଧ୍ୟ ନିରଞ୍ଜନ ରଖିଥିଲେ। କହିଥିଲେ, ଯାହାର ଜିତିବାର ସମ୍ଭାବନା ଥିବ, ସେହିଭଳି ଲୋକଙ୍କୁ ନିର୍ବାଚନରେ କଂଗ୍ରେସ ଟିକେଟ ମିଳିବ ।

ଯାହାର ଜିତିବାକୁ ହାୱା ଥିବ ସେହିଭଳି ନେତାଙ୍କୁ କଂଗ୍ରେସ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବ। ଯୁବକ, ମହିଳା  ଓ ନୂଆ ଚେହେରାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ। ଯିଏ ଜିଲ୍ଲା ସଭାପତି ହେବେ, ସେମାନେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ପୂର୍ବରୁ ପିସିସି ସଭାପତି କହିଥିଲେ । ଯାହାକୁ ଦଳରେ ଜୋରଦାର ବିରୋଧ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି  ସୁରେଶ ରାଉତରାୟ ଏହାକୁ ଖୋଲାଖୋଲି ଚ୍ୟାଲେଞ୍ଜ  କରିଥିଲେ। ସେହିପରି ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷ ସଂପର୍କରେ ନିରଞ୍ଜନ କହିଥିଲେ ଯେ , ଏହା ସ୍ୱଭାବିକ କଥା। ଏକାବେଳେ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବ ନାହିଁ । ତେବେ ଅସନ୍ତୋଷ ଦୂର ପାଇଁ ଖୁବ୍ ଶୀଘ୍ର ପରିବର୍ଦ୍ଧିତ ଜିଲା କମିଟି ଘୋଷଣା କରାଯିବ ବୋଲି ସେ କହିଥିଲେ। ଅନ୍ୟପଟେ  ନେତାଙ୍କ ଭିତରେ ଚାଲିଥିବା ପରସ୍ପର ବିରୋଧୀ ବୟାନବାଜି  ରୋକିବାକୁ ପିସିସି  ପକ୍ଷରୁ ସର୍କୁଲାର ଜାରି ହେବ। ଯାହାର ଯାହା ଅଭିଯୋଗ ଥିବ ସେମାନେ ପିସିସି କିମ୍ବା ଏଆଇସିସିରେ ଜଣାଇବେ। ଯେଉଁମାନଙ୍କୁ ଦାୟିତ୍ୱ ଦିଆଯିବ, ସେମାନେ ହିଁ ଗଣମାଧ୍ୟମରେ କହିବେ । ଯିଏ ଶୃଙ୍ଖଳା ଭଙ୍ଗ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ନିରଞ୍ଜନ।