ନିୟମଗିରିରେ ଝାଡ଼ାବାନ୍ତିରେ ୧୦ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ନିୟମଗିରି ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ନିୟମଗିରି ଅଞ୍ଚଳରେ ସ୍ଥିତି ସମୀକ୍ଷା କରି ଦୀର୍ଘକାଳିନ ଆକ୍ସ ପ୍ଲାନ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି,“ବୁଡୁଣି, ପାରସାଲି, ଟେବାପଡ଼ା ଓ ଗୁମ୍ମାରେ ୪ଟି ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ବ୍ୟବସ୍ଥା କରାଯିବ।  ଏହି କ୍ୟାମ୍ପ୍‌ ଗୁଡ଼ିକରେ ମାସେ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଔଷଧ,ରନ୍ଧା ଖାଦ୍ୟ ଓ ଗରମ ପାଣି ଯୋଗାଇ ଦିଆଯିବ।”

ଏଠାରେ  ମାଂସକୁ ଶୁଖାଇ ନ ଖାଇବା ପାଇଁ ମଧ୍ୟ ଲୋକଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

ସପ୍ତାହେ ପୂର୍ବରୁ ଭାମ୍ୱେରି ଗାଁରେ ୪ ଜଣଙ୍କ ମୃତ୍ୟୁ ହେବାରୁ ଭୂତପ୍ରେତ ଅନ୍ଧବିଶ୍ୱାସରେ ଲୋକେ ଗାଁ ଛାଡ଼ି ଚାଲିଯାଇଥିଲେ। ପୂଜାପାଠ ପରେ ଗାଁକୁ ଫେରିଥିଲେ।