ପାଣି ଫୋଟକା ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ପଦ୍ମପୁର ଜିଲ୍ଲା ଗଠନ ଆନ୍ଦୋଳନ ଜାରି ରହିବ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପାଣି ଫୋଟକା ଭଳି ଫାଟିଗଲା ବିଜେଡିର ଉଦ୍ୟମ। କାମ କଲାନି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟି ଚାଳନା। କାରଣ ତାଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନୁହେଁ ପଦ୍ମପୁରକୁ ଜିଲ୍ଲା ଗଠନ ଦାବି କରୁଥିବା କ୍ରିୟାନୁଷ୍ଠାନ କମିଟି। ତେଣୁ ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ଆଜି ସନ୍ଧ୍ୟାରେ ସୂଚନା ଦେଇଛନ୍ତି କମିଟିର ଆବାହକ ଉମେଶ ଚନ୍ଦ୍ର ସାହୁ। ଯାହାକୁ ନେଇ ପୁଣି ତେଜିଛି ପଦ୍ମପୁର ଉପନିର୍ବାଚନ ପାଣିପାଗ ଓ ଦଳୀୟ ରାଜନୀତି।

ସୂଚନା ଥାଉକି, ଆସନ୍ନ ପଦ୍ମପୁର ଉପନିର୍ବାଚନରେ ଏହା ଏକ ପ୍ରମୁଖ ମୁଦ୍ଦା ହୋଇଥିବା ବେଳେ, ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି ଜଣାଇଥିଲା କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ। ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡି ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଯାହା ପରେ ‌ଆନ୍ଦୋଳନ ଥମି ଯିବ ଓ ବିଜେଡି ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ବୋଲି ଅଲୋଚନା ହେଉଥିଲା। ହେଲେ ହଠାତ୍ ରଙ୍ଗ ବଦଳାଇଛି ରାଜନୀତି ପାଣିପାଗ।

କାରଣ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନଥିବା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ଆବାହକ ଉମେଶ ଚନ୍ଦ୍ର ସାହୁ। କମିଟି ପକ୍ଷରୁ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କୁହାଯାଇଛି।

ସେ କହିଛନ୍ତି, ଆଜି ଦିନ ୧୦ଟାରେ କମିଟିର ଏକ ସଭା ବସିଥିଲା। ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭରସା ଯୋଗ୍ୟ ବୋଲି କିଛି ସଦସ୍ୟ ମତ ରଖିଥିବା ବେଳେ କିଛି ସଦସ୍ୟ ଏମିତି ମୌଖିକ ପ୍ରତିଶ୍ରୁତି ଦେଇ ପୂରଣ କରାଯାଉନାହିଁ ବୋଲି ଅନେକ ସଦସ୍ୟ ମତ ରଖିଥିଲେ। ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଶେଷରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କମିଟିରେ ନିଷ୍ପତ୍ତି ହୋଇଛି। ଦାବି ନେଇ କମିଟି ଉପନିର୍ବାଚନରେ ମଧ୍ୟ କୌଣସି ପ୍ରକାର ବାଧା ସୃଷ୍ଟି କରିବ ନାହିଁ। ଭୋଟ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏହାକୁ ସମ୍ମାନ ଦିଆଯିବ ବୋଲି  ଉମେଶ କହିଛନ୍ତି।

ତେବେ ଏନେଇ ବିଜେଡ଼ି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।