ଶୀଘ୍ର ଆସିଥିଲା, ଉଭାନ୍‌ ହୋଇଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ପହଞ୍ଚିଥିଲା ମୌସୁମୀ। ଜଣାପଡ଼ୁଥିଲା ରଜରେ ପ୍ରବଳ ବର୍ଷା ହେବ। ହେଲେ ବର୍ଷା କେଉଁ ଆଡ଼େ ଉଭାନ୍‌ ହୋଇଗଲା। ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବୋହୁଛି। ସମଗ୍ର ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର ୮ଟି ସହର ପାରଦ ୪୦ ଡିଗ୍ରୀ ଉପରେ ରହିଛି। ତାତି ଲାଗି ରହୁଥିବାରୁ ସ୍କୁଲ ଛୁଟିକୁ ୩ ଦିନ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର।

ମୌସୁମୀ ଆସିବା ପରେ ବୈଶାଖର ଦାଉ। ଯେଉଁ ସମୟରେ ବର୍ଷା ବର୍ଷିବା କଥା, ସେହି ସମୟରେ ବର୍ଷୁଛି ନିଆଁ। ବୋହୁଛି ଗରମ ପବନ। ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ ଯାତ୍ରା। ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ରଜ ପର୍ବ ଏକ ପ୍ରକାର ଫିକା ପଡ଼ିଯାଇଛି। ଆଜି ବାରିପଦା ସର୍ବାଧିକ ଉତପ୍ତ ସହର। ଏଠାରେ ପାରଦ ୪୧.୪ ଡିଗ୍ରୀ ସେଲ୍‌ସିଅସ୍‌ ରହିଛି। ସେହିପରି ଚାନ୍ଦବାଲିରେ ୪୦.୩, କଟକ ୪୦.୦, ଭୁବନେଶ୍ୱର ୪୦.୨, ଅନୁଗୋଳ ୪୦.୯, ତାଳଚେର ୪୦.୮, ଭବାନୀପାଟଣାର ୪୦.୫, ସୋନପୁରର ୩୯.୪ ଓ ଢେଙ୍କାନାଳର ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟକରି ରାଜ୍ୟ ସରକାର ଖରାଛୁଟିକୁ ଆଉ ୩ ଦିନ ବଢ଼ାଇ ଦେଇଛନ୍ତି। ଚଳିତ ମାସ ୧୮ ବଦଳରେ ୨୧ ତାରିଖରେ ସ୍କୁଲ ଖୋଲିବ। ସୋମବାର ବଦଳରେ ଗୁରୁବାର ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ରାଜ୍ୟର ୯ଟି ଜିଲ୍ଲାରେ ହିଟ୍‌ୱେଭ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡିଶାର ୫ ଜିଲ୍ଲା ଓ ଉପକୂଳର ୪ଟି ଜିଲ୍ଲା ପାଇଁ ହିଟ୍‌ୱେଭ ସର୍ତକତା ଜାରି କରାଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More