ଜମି ମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ କେମିତି ହେବ ଭାଗ ବଣ୍ଟା: ମନ୍ତ୍ରିସ୍ତରୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ଭୁବନେଶ୍ୱର: ଭାଗ ଚାଷୀଙ୍କ ଅଧିକାର ପାଇଁ ଆଜି ମନ୍ତ୍ରିସ୍ତରୀୟ ବୈଠକରେ ସରଗରମ୍ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ନୂଆ ଆଇନର ରୂପରେଖ ପ୍ରସ୍ତୁତ ପାଇଁ ତୃତୀୟ ଥର ଲାଗି ମାନସ ମନ୍ଥନ ହୋଇଥିଲା। ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା ଚାଲିଲା ପରେ ମଧ୍ୟ ବାହାରି ପାରିଲା ନାହିଁ କୌଣସି ନିର୍ଯାସ। କିଛି ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କ ଭିତରେ ରହିଲା ଭିନ୍ନ ମତ। ଯେମିତିକି ଜମିମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ ଉତ୍ପାଦିତ ଶସ୍ୟର ଭାଗବଣ୍ଟା କେତେ ହେବ। କିଛି ମନ୍ତ୍ରୀ କହିଲେ- ପ୍ରଚଳିତ ପରମ୍ପରା ଅନୁସାରେ ଜମିମାଲିକ ୩୩ ଓ ଭାଗଚାଷୀ ୬୬ ପ୍ରତିଶତ ଶସ୍ୟ ନେବେ। ପୁଣି ଆଉ କିଛି କହଲେ ଭାଗ ୪୦- ୬୦ରେ ଛିଡୁ। ଉତ୍ପାଦିତ ଶସ୍ୟରେ ଭାଗବଣ୍ଟା ନ ହୋଇ ଅର୍ଥ ଦେଣନେଣ କଥା ବି ଉଠିଲା। ହେଲେ ଏଥିରେ ବି ସହମତି ହୋଇପାରିଲାନି। ୧୦ ଏକରରୁ ଅଧିକ ଜମି ଥିବା ଜମି ମାଲିକ ଭାଗ ଦେଇପାରିବ କି ନାହଁ ତାକୁ ନେଇ ମଧ୍ୟ ଦ୍ୱନ୍ଦ ହେଲା। ଜମି ମାଲିକ ନିଜ ଅଧିକାରରେ ରଖିଥିବା ବେନାମୀ ଜମିକୁ ସରକାର ନିଜ ଅଧିନକୁ ଆଣି ଭାଗଚାଷୀଙ୍କୁ ଦେବା ନେଇ ବି ସହମତି ହୋଇପାରିଲା ନାହିଁ। ବଡକଥା ହେଲା ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ନୂଆ ଆଇନ ଆଣିବେ ନା ଓଡିଶା ଭୂସଂସ୍କାର ଆଇନରେ ସଂଶୋଧନ କରିବେ ତାହା ବି ସ୍ଥିର କରିପାରିଲା ନାହିଁ।

ଆଜି ଆଲୋଚନା ହୋଇଥିବା ପ୍ରସ୍ତାବିତ ବିଲର ବ୍ୟବସ୍ଥା ଅନୁସାରେ ଜମି ମାଲିକ ଓ ଭାଗଚାଷୀଙ୍କ ଭିତରେ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ଏକ ଚୁକ୍ତି ହେବ। ସ୍ଥାନୀୟ ତହସିଲଦାର, ଆରଆଇ କିମ୍ବା ସରପଞ୍ଚ ଏହାକୁ ସ୍ୱୀକୃତି ଦେବେ। ସର୍ବନିମ୍ନ ତିନି ବର୍ଷ ପାଇଁ ଚୁକ୍ତି ହେବ। ନୂଆ ଆଇନରେ ଜମି ମାଲିକ ଓ ଭାଗଚାଷୀଙ୍କ ଅଧିକାର ଏବଂ ଦାୟିତ୍ୱ କଣ ହେବ ତାହା ଉଲ୍ଲେଖ ରହିଛି। ଚୁକ୍ତି କରିବା ପରେ ଜମି ମାଲିକ ଭାଗଚାଷୀର ଦଖଲରେ ଥିବା ଜମି ଉପରେ ଅଯଥା ହସ୍ତକ୍ଷେପ କରିବ ନାହିଁ। ଏପରିକି ଏହାକୁ ସବଲିଜ ଦେଇପାରିବେ ନାହିଁ। ଜମିର ଜଳକର ଓ ଖଜଣା ପଇଠ କରିବେ ଜମି ମାଲିକ।

ଲିଜର ଚୁକ୍ତି ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଜମି ମାଲିକ ଭାଗଚାଷୀ ପାଖରୁ ଉତ୍ପାଦିତ ଶସ୍ୟ କିମ୍ବା ଅର୍ଥ ନେବେ। ଯଦି ଭାଗଚାଷୀ ଚୁକ୍ତିର କୌଣସି ସର୍ତ୍ତ ଖିଲାପ କରେ ତେବେ ଜମିମାଲିକ ଲିଜକୁ ବାତିଲ କରିଦେଇ ପାରିବେ। ଲିଜ ଅବଧି ଭିତରେ ଜମିକୁ ବିକ୍ରି, ଦାନ କିମ୍ବା ବନ୍ଧକ ରଖିପାରିବେ ଜମିମାଲିକ। ତେବେ ଭାଗଚାଷୀ ନେଇଥିବା ଲିଜ ଜମିକୁ ଆଉ ସବ୍‌ଲିଜ ଦେଇପାରିବେ ନାହିଁ। ଜମିକୁ ଦେଖାଇ ବ୍ୟାଙ୍କରୁ ଋଣ ନେଇପାରିବେ। ତାସହିତ ଶସ୍ୟ ବୀମା, ବିପର୍ଯ୍ୟୟ ସହାୟତା ଏବଂ ଅନ୍ୟ ସରକାରୀ ସୁବିଧା ବି ପାଇବେ।