ଧାମନଗର ଉପନିର୍ବାଚନ: ରାସ୍ତା ପାଇଁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ। ନିଜ ସପକ୍ଷରେ ଜନମତ ହାତେଇବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରୁ ବାଦ ପଡ଼ିନାହାନ୍ତି ସ୍ୱାଧୀନ ଭାବେ ଠିଆ ହୋଇଥିବା ପ୍ରାର୍ଥୀମାନେ। ଏହି ସମୟରେ ରାସ୍ତା ନାହିଁ, ଭୋଟ୍ ଦେବୁ କ’ଣ ପାଇଁ ଏପରି ନାରା ଦେଇ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ଦୋଳସାହି ପଞ୍ଚାୟତର ଗାଜିପୁର ଓ ରାଢ଼ଙ୍ଗ ଓ ସେରପୁରର ସାହି ବାସିନ୍ଦା।  ଭୋଟ ବର୍ଜନ ନିଷ୍ପତ୍ତିର ଏକ ପୋଷ୍ଟର ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି।

ତିହିଡି ବ୍ଲକ୍ ଅନ୍ତର୍ଗତ ଦୋଳସାହି ପଞ୍ଚାୟତର ରାଢ଼ଙ୍ଗ ମୁଖ୍ୟରାସ୍ତାରୁ ୩ ନମ୍ବର ୱାର୍ଡ ଦେଇ ଗୋରାମାଟି ପଞ୍ଚାୟତ ପର୍ଯ୍ୟନ୍ତ ଲମ୍ବିଛି ୪୦୦ ମିଟର ରାସ୍ତା। ୨୦୦୦ ମସିହାରେ ନିର୍ମାଣ ପାଇଁ ରାସ୍ତାକୁ ଖୋଳି ଦିଆଯାଇଥିଲା। ହେଲେ ଦୁଇଜଣ ବ୍ୟକ୍ତି ସେମାନଙ୍କ ଜମି ଥିବା କହି ମାମଲା ରୁଜୁ କରିବା ଫଳରେ ରାସ୍ତା ନିର୍ମାଣ ବନ୍ଦ ରହିଥିଲା। ତେବେ ଗାଜିପୁର, ରାଢ଼ଙ୍ଗ ଓ ସେରପୁରର ଗ୍ରାମବାସୀ  ତିହିଡ଼ି ଓ ଭଦ୍ରକ ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ୨୦୨୧ରେ ମାପଚୁପ୍ କରାଯାଇ ରାସ୍ତା କଢ଼ାଯାଇଥିଲା। ତେବେ ୨ ବର୍ଷ ବିତିଯାଇଥିଲେ ବି ରାସ୍ତା ନିର୍ମାଣ ହୋଇପାରୁନାହିଁ।

ତିନି ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୭୦ ପରିବାର ଏହି ରାସ୍ତା ଦେଇ ପ୍ରତିଦିନ ଯା’ଆସ କରିଥାନ୍ତି। ଏହି ମାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟି ଯାଇଛି। ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବର୍ଷା ଦିନେ ଏ ରାସ୍ତାର ଅବସ୍ଥା କ’ଣ ହୁଏ, ତାହା ନ କହିବା ଭଲ। ପୂରା ରାସ୍ତାଟି କାଦୁଅ ହୋଇଯାଏ। ତେଣୁ ଯା’ଆସରେ ବଡ଼ ଅସୁବିଧା ହୁଏ। ଆମ୍ବୁଲାନ୍ସ ଆସି ପାରେ ନାହିଁ।

bhadrak
ମରଣଯନ୍ତା ପାଲଟିଛି ରାସ୍ତା

ରୋଗୀଙ୍କୁ ନେବାକୁ ଲୋକଙ୍କୁ ନୟାନ୍ତ ହେବାକୁ ପଡ଼େ। ଖରାପ ରାସ୍ତା ଯୋଗୁ ଗାଡ଼ିମୋଟରରେ ଗଲା ବେଳେ ଦୁର୍ଘଟଣା ମଧ୍ୟ ଘଟେ। ବର୍ଷା ଦିନେ ପିଲାମାନେ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି। ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

ଜଣେ ଗ୍ରାମବାସୀ କହିଛନ୍ତି, ରାସ୍ତା ନଥିବାରୁ  କୌଣସି ଦଳକୁ ଭୋଟ୍ ଦେବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଆମ ଗାଁକୁ ରାସ୍ତା ନଥିବା ଗର୍ଭବତୀ ମହିଳାମାନେ ମେଡିକାଲ ଯିବାକୁ ହଇରାଣ ହେଉଛନ୍ତି। ଆମ ଗାଁରେ କେହି ଝିଅ ଦେବାକୁ ରାଜି ହେଉ ନାହାନ୍ତି। ଭଲ ରାସ୍ତା ପାଇଁ ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲୁ। ସେ ମଧ୍ୟ ରାସ୍ତା ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ହେଲେ କିଛି ସୁଫଳ ହେଲାନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।