ଧାମନଗର ଉପନିର୍ବାଚନ: ଆଜି ନାମାଙ୍କନ ପତ୍ର ଯାଞ୍ଚ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମେ ୧୧ତାରିଖ ଦିନ ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ନାମାଙ୍କନ ଦାଖଲ କରିଥିଲେ। ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ବିଦ୍ରୋହୀ ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।

ଏହାସହ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭନାରାୟଣ ସେଠୀ ଓ ପବିତ୍ରମୋହନ ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଯାଞ୍ଚ ହେବାକୁ ଥିବାବେଳେ ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।  ତେବେ ବିଜେଡିର ବିଦ୍ରୋହୀ ଭାବେ ସ୍ୱାଧିନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର ରହୁଛି। ଦଳର ଚାପର ବଶବର୍ତ୍ତୀ ହୋଇ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତାହା ୧୭ ତାରିଖ ସୁଦ୍ଧା ଜଣାପଡ଼ିବ। ହେଲେ ତାଙ୍କର ପ୍ରାର୍ଥିତ୍ୱକୁ ନେଇ ଏବେ ଧାମନଗର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।