ଚିନ୍ତା ବଢ଼ିଲା, ଗୋଟିଏ ଗାଁରୁ ୨୯ ପଜିଟିଭ୍

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା। କିଛି କିଛି ସ୍ଥାନରୁ ଏକାଥରକେ ବହୁମାତ୍ରାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିକ୍ରମରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସିନାପାଲି ବିଡିଓ ଏହି ସୂଚନା ଦେଇଛନ୍ତି।

ବିଡିଓ କହିଛନ୍ତି, ଏହି ଗାଁରୁ ୫୬ ଜଣଙ୍କ ସାମ୍ପୁଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଁଟି ଛତିଶଗଡ଼ ସୀମାରେ ଥିବାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି।

ବିଡିଓ ଆହୁରି କହିଛନ୍ତି, ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଗାଁର ଦୁଇ ପ୍ରବେଶ ପଥକୁ ବନ୍ଦ କରାଯାଇଛି ଓ ପୁଲିସ୍ ମୁତୟନ କରାଯାଇଛି। ଆସନ୍ତାକାଲି ଗାଁର ସବୁ ଲୋକଙ୍କୁ ସାମ୍ପୁଲ ସଂଗ୍ରହ କରାଯିବାକୁ ଯୋଜନା କରାଯାଇଛି। ତାସହିତ ଆସନ୍ତାକାଲି ହେବାକୁଥିବା ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି। ସେହିଭଳି ସେଠାରେ ହେବାକୁଥିବା ଦୁଇଟି ବାହାଘର ଉତ୍ସବକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ରାଜ୍ୟରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ନୂଆପଡ଼ାରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ଆଉ ଆଜି ଗୋଟିଏ ଗାଁରୁ ୨୯ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିବ ନିଶ୍ଚୟ।

ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।