ଆଇଓସିଏଲ ବିବାଦ: ଉର୍ଜା ରଥକୁ ଜବତ କଲେ ଜଗତସିଂହପୁର ଜିଲ୍ଲାପାଳ

ଜଗତସିଂହପୁର/ଭୁବନେଶ୍ୱର: ଆଇଓସିଏଲକୁ ନେଇ ବିବାଦ ଥମିବାର ନାଁ ନେଇ ନାହିଁ। ଏହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଏଥିରେ ଆଜି କଂଗ୍ରେସ ସାମିଲ ହୋଇଛି। ସେହିପରି ପାରାଦୀପ ତୈଳ ବିଶୋଧନାଗାରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ ୩୦ଟି ଉର୍ଜା ରଥ ବାହାରିଛି। ତେବେ ଏହା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅବମାନନା କରୁଥିବା ଦର୍ଶାଇ ଜଗତସିଂହପୁର ଜିଲ୍ଲାପାଳ ଆଜି ଗୋଟିଏ ରଥକୁ ସାମୟିକ ଜବତ କରିଛି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦାରେ ବୁଲୁଥିଲା ଆଇଓସିଏଲର ଉର୍ଜା ରଥ। ଜଗତସିଂହପର ଜିଲ୍ଲାପାଳ ବିଜୟକେତନ ଉପାଧ୍ୟାୟ ଏହାକୁ ଜବତ କରିବା ସହ ରଥରେ ପ୍ରଦର୍ଶିତ ବିଷୟ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି। ଏହାକୁ ସାମୟିକ ଭାବେ ଜବତ କରାଯାଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ବିଜ୍ଞାପନ ନୀତିକୁ ଏହା ଉଲ୍ଲଂଘନ ନ କରୁ ବୋଲି ଉପଦେଶ ଦିଆଯାଇଛି ବୋଲି ସେ ଜଣାଇଛନ୍ତି।

ତେବେ ଏହି ଘଟଣା ପରେ ବିଜେପି ମାମଲାରୁ ହାତରୁ ଦୂରେଇ ରହିବାକୁ ଚାହିଁଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଏହି ଘଟଣା ଆଇଓସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସୀମିତ। ସେଥିରେ ବିଜେପିର କିଛି ନେଣ ଦେଣ ନାହିଁ। ସେଥିରେ ଭାରତୀୟ ଜନତା ପାର୍ଟିର ପଦ୍ମଫୁଲ ନାହିଁ କି ପତାକା ନାହିଁ।

ତୈଳ ବିଶୋଧନାଗାର ପ୍ରକଳ୍ପକୁ ନିଜର ବୋଲି ପ୍ରମାଣିତ କରିବାକୁ ବିଜେପି ବହୁ ହୋଡିଂ ମାରିଛି। ଏହି ଉର୍ଜା ରଥ ପ୍ରଚାର ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ପ୍ରତି ଅବଦାନ ବିଷୟରେ ଅଡିଓ ଭିଜୁଆଲ ମାଧ୍ୟମରେ ପ୍ରଚାର କରାଯାଉଛି।

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି, ରାଜ୍ୟ ସରକାର ଜମି, ପାଣି, ବାଲି ଦେଇ ପ୍ରକଳ୍ପ କରାଇଛନ୍ତି। ନବୀନ ପଟ୍ଟନାୟକ ଆଇନଶୃଙ୍ଖଳା ଦେଖିଲେ, ରାସ୍ତା ଓ ବିଦ୍ୟୁତ ସୁବିଧା କରିଦେଲେ। କେନ୍ଦ୍ର ସରକାର ଖାଲି ଟଙ୍କା ଦେଇ ଦେଲେ ବୋଲି ଏହା ତାଙ୍କର ହୋଇଗଲା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ବିଜେପି-ବିଜେଡି ମଧ୍ୟରେ ବାହାବା ନେବାକୁ ଯେଉଁ ଟଣାଓଟରା ଚାଲିଛି ଏହା ହାସ୍ୟସ୍ପଦ କଥା। ଉପା ସରକାର ଥିବା ବେଳେ ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯିବା ସହ ଅର୍ଥ ଦିଆଯାଇଥିଲା। ଏହି ଦୁଇ ଦଳର ସାଧାରଣ ସୌଜନ୍ୟ ଟିକିଏ ବି ନାହିଁ ଯେ ଜଣେ କଂଗ୍ରେସ ନେତାଙ୍କୁ ସେଠାକୁ ନିମନ୍ତ୍ରଣ କରିବାକୁ।