ଦିଲ୍ଲୀ ପାୱାର କରିଡ଼ରରେ ଓଡିଆ ଅଫିସରଙ୍କ ରାଜୁତି : ଦେଶର ପାୱାରଫୁଲ୍‌ IAS ତାଲିକାରେ ପ୍ରମୋଦ ନମ୍ବର ୱାନ

ନୂଆଦିଲ୍ଲୀ: ତିନିବର୍ଷ ପୂର୍ବେ ବଲିଉଡ଼ରେ ଧୂମ ମଚାଇଥିଲା ଫିଲ୍ମ ପି.କେ। ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେଇଥିଲା ଏହି ଫିଲ୍ମ। ଏପରିକି ସେତେବେଳେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ତିନିବର୍ଷ ପରେ ପୁଣି ଥରେ ପି.କେଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏଥର ଫିଲ୍ମ ପି.କେ ପାଇଁ ନୁହେଁ ବରଂ ମୋଦିଙ୍କ ପି.କେଙ୍କୁ ନେଇ ଚର୍ଚ୍ଚା ହେଉଛି। ଆଉ ଏ ପି.କେ ହେଉଛନ୍ତି ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରମୋଦ କୁମାର ମିଶ୍ର। କୁହାଯାଏ ପି.କେଙ୍କ ବିନା ମୋଦିଙ୍କ ପାଟିରୁ ଶବ୍ଦଟିଏ ମଧ୍ୟ ବାହାରେନି।

ଦିଲ୍ଲୀ ପାୱାର କରିଡ଼ରରେ ଓଡିଆ ଅଫିସରଙ୍କ ଦବ୍‌ଦବା। ଓଡିଆ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ର। ଜାତୀୟ ସ୍ତରରେ ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ‘ବ୍ୟୁରୋକ୍ରାସି ଟୁଡେ ମାଗାଜିନ’ ପକ୍ଷରୁ ହୋଇଥିବା ସର୍ଭେରେ ପ୍ରମୋଦଙ୍କୁ ଦେଶର ସବୁଠାରୁ ପ୍ରଭାବଶାଳୀ ପ୍ରଶାସକ ରୂପେ ଦର୍ଶାଯାଇଛି। ବର୍ତ୍ତମାନ ଏହି ଆଇଏଏସ୍ ଅଫିସର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଧାନମନ୍ତ୍ରୀଙ୍କ ଖାସ୍ ତଥା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ନ୍ରିପେନ୍ଦ୍ର ମିଶ୍ରାଙ୍କୁ ପଛରେ ପକାଇ ଦେଶର ପ୍ରଭାବଶାଳୀ ପ୍ରଶାସକ ଭାବେ ବାଜି ମାରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ।

p k mishra‘ବ୍ୟୁରୋକ୍ରାସି ଟୁଡେ’ ମାଗାଜିନ୍ ତରଫରୁ ହୋଇଥିବା ଅନଲାଇନ୍ ସର୍ଭେରେ ୮୩.୭ ପ୍ରତିଶତ ଭୋଟ ପାଇଥିଲେ ପ୍ରମୋଦ। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରମୋଦ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୮ରେ ଅବସର ଗ୍ରହଣ କରିଥିବା ଏହି ଆଇଏଏସ୍ ଅଫିସରଙ୍କୁ ଗୁଜରାଟ ସରକାର ପୁନର୍ବାର ସରକାରଙ୍କ ସହ କାମ କରିବାକୁ ସୁଯୋଗ ଦେଇଥିଲେ। ପ୍ରମୋଦଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀ ମୋଦିଙ୍କୁ ବେଶ୍ ପ୍ରଭାବିତ କରିଥିଲା। ତେଣୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରମୋଦଙ୍କୁ ଖୋଜା ପଡିଥିଲା ଓ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ମୋଦିଙ୍କ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ଏହି ଓଡ଼ିଆ ଅଫିସର। ଏପରିକି ବିଭିନ୍ନ ସରକାରୀ ଉଚ୍ଚ ପଦପଦବୀରେ ନିଯୁକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଫ।ଇଲ ପାସ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପ୍ରମୋଦ। ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ୧୯୭୨ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପୂର୍ବରୁ ଓଡିଶାର ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟରେ ମଧ୍ୟ କାମ କରି ସାରିଛନ୍ତି ପ୍ରମୋଦ।