ଟ୍ରେନ୍‌ ଟିକଟ ପାଇଁ ଯାଇଥିଲେ, ଓଡ଼ିଆ ଶ୍ରମିକଙ୍କୁ ପିଟି ମାରିଦେଲା ପୁଲିସ!

ମୋ’ ସ୍ୱାମୀ ଖଟିବାକୁ ଯାଇଥିଲେ...

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗତକାଲି ହରିଆଣାରେ ଜଣେ ଓଡ଼ିଆ ଶ୍ରମିକ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତିନି। ଆଜି ଆସିଛି ଆଉ ଏକ ମୃତ୍ୟୁ ଖବର। ଏହାକୁ ମୃତ୍ୟୁ ବୋଲି କୁହାଯାଇନପାରେ, ବରଂ ହତ୍ୟା କହିଲେ ଚଳିବ! ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନରେ ଅସହାୟ ହୋଇପଡ଼ିଥିବା ଜଣେ ଓଡ଼ିଆ ଘରକୁ ଫେରିବାକୁ ଟ୍ରେନ୍‌ ଟିକ୍‌ଟ କରିବାକୁ ସୁରତରେ ଏକ ଟ୍ରାଭେଲ୍‌ ଏଜେନ୍ସି ପାଖକୁ‌ ଯାଇଥିଲେ। ଟିକଟ ତ ମିଳିଲାନି। ମିଳିଲା ପୁଲିସର ଲାଠି। ସେହିଠାରେ ଟଳି ପଡ଼ିଲେ ଓଡ଼ିଆ ଯୁବକ ସତ୍ୟବାନ ସ୍ୱାଇଁ। ଏବେ ତାଙ୍କ ସ୍ତ୍ରୀ ବାହୁନି ବାହୁନି କାନ୍ଦୁଛନ୍ତି।

ଗଞ୍ଜାମ ଜିଲ୍ଲା କୁଲାଡ଼ ବାରୁଡ଼ା ଗାଁର ସତ୍ୟବାନ ସ୍ୱାଇଁ। ସେ ପରିବାର ଭରଣପୋଷଣ ପାଇଁ ସୁରତ ଯାଇଥିଲେ। ସେଠାରେ କାମ କରି ଭଲ ଉପାର୍ଜନ କରୁଥିଲେ। ଲକ୍‌ଡାଉନ୍‌ ପାଇଁ ସବୁ କମ୍ପାନୀ ବନ୍ଦ ହୋଇଗଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସତ୍ୟବ୍ରତ। ଘରକୁ ଫେରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଟ୍ରେନ୍‌ ଚାଲୁନଥିବାରୁ ସେ ଘରକୁ ଆସିପାରିନଥିଲେ।

ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇଛନ୍ତି। ଯେଉଁଥିପାଇଁ ଗତକାଲି ସତ୍ୟବ୍ରତ ଏକ ଟାର୍ଭେଲ ପାଖକୁ ଟ୍ରେନ୍‌ ଟିକଟ କରିବାକୁ ଯାଇଥିଲେ। ଏହି ସମୟରେ ଟାର୍ଭେଲ ଏଜେନ୍ସି ନିକଟରେ ବହୁତ ଭିଡ଼ ଥିଲା। ପୁଲିସ୍ ଘଟଣାସ୍ଥରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଲାଠି ଚାର୍ଜ କରିଥିଲା। ଏହି ସମୟରେ ସତ୍ୟବାନ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରୁ ଦୌଡ଼ି ଏକ କମ୍ପାନୀ କ୍ୟାମ୍ପସ ଭିତରକୁ ପଳାଇଯାଇଥିଲେ। ପୁଲିସ କମ୍ପାନୀ ଭିତରେ ପଶି ସତ୍ୟବାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ସେ ଚେତାହରାଇ ପଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ନେଉଥିଲେ। ତେବେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସତ୍ୟବାନଙ୍କ ମୃତ୍ୟୁ ଖବର ପାଇ  ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ମାମଲାର ତଦନ୍ତ କରି ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ସତ୍ୟବାନଙ୍କ ସ୍ତ୍ରୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।